ନବବର୍ଷରେ ମା’ ଭୁଦାରଚଣ୍ଡୀଙ୍କ ଦର୍ଶନ କଲେ ଭାଜପା ରାଜ୍ୟ ସଭାପତି
ବାଲେଶ୍ୱରବାସୀଙ୍କ ପାଇଁ ଉତ୍ସାହ ଓ ଉଦ୍ଦୀପନାର ବର୍ଷ ହେଉ ୨୦୨୨ : ସମୀର ମହାନ୍ତି
ବାଲେଶ୍ୱର : ଇଂରାଜୀ ନବବର୍ଷ ୨୦୨୨ ଅବସରରେ ଶନିବାର ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ଓ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ବାଲେଶ୍ୱର ଗସ୍ତ କରିଛନ୍ତି । ଉକ୍ତ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତା ସେମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ଏହି ଅବସରରେ ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପ ସଭାପତି ତଥା ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସହ ବହୁ ବରିଷ୍ଠ ନେତୃବୃନ୍ଦ ନୀଳଗିରି ଠାରେ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ସମସ୍ତେ ମା’ ଭୁଦାର ଚଣ୍ଡୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଶ୍ରୀ ମହାନ୍ତି ମା’ଙ୍କ ଆର୍ଶୀବାଦ ଲାଭ କରିବା ସହ ବାଲେଶ୍ୱର ତଥା ସମଗ୍ର ଓଡିଶାବାସୀଙ୍କ ସୁଖ, ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟର କାମନା କରିଥିଲେ ।
ବାଲେଶ୍ୱରରେ ବହୁ ଦିନ ଧରି ବିଜେଡି ସାଧାରଣ ଲୋକଙ୍କୁ ପ୍ରତାରିତ କରୁଛି ଓ ଆଗାମୀ ଦିନରେ ବାଲେଶ୍ୱରର ଜନସାଧାରଣ ଏହାର ଦୃଢ଼ ଜବାବ ଦେବେ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ମତାମତ ରଖିଛନ୍ତି । ଦଳର ସଙ୍ଗଠନକୁ ଆହୁରି ମଜବୁତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସାଧାରଣ ଲୋକଙ୍କ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଛନ୍ତି । ବାଲେଶ୍ୱରବାସୀଙ୍କ ଶୁଭଆଶିଷ କାମନା କରିବା ସହ ଆଗାମୀ ଦିନରେ ବାଲେଶ୍ୱରରେ ଭାଜପା ବିପୁଳ ମାତ୍ରାରେ ବିଜୟ ଲାଭ କରିବ ଏଥିରେ ଦ୍ୱିମତ ନାହିଁ ବୋଲି ଶ୍ରୀ ମହାନ୍ତି ପରିପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଚନ୍ଦ୍ରଶେଖର ନନ୍ଦ, ସମର ଶଙ୍କର କାନୁନ୍ଗୋ ସହିତ ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
