୪ ତାଲା କୋଠା ଭୁଶୁଡ଼ି ୧୧ ମୃତ, ୭ ଆହତ
ମୁମ୍ବାଇ : ମୌସୁମୀ ଆଗମନରେ ମୁମ୍ବାଇରେ ମୂଷଳଧାରାରେ ବର୍ଷା । ଲଗାଣ ବର୍ଷାରେ ମାୟାନଗରୀ ହାଲ୍ ବେହାଲ୍ ହୋଇଛି । ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ଫଳରେ ଜଳବନ୍ଦୀ ହୋଇଛି ମୁମ୍ବାଇ । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଏହାରି ମଧ୍ୟରେ ବୁଧବାର ରାତି ପ୍ରାୟ ୧୧ଟା ୧୦ ମିନିଟ ସମୟରେ ମୁମ୍ବାଇର ପଶ୍ଚିମ ମାଲାଡ଼ ଅନ୍ତର୍ଗତ ମାଲବଣୀ ଅଞ୍ଚଳରେ ଗୋଟାଏ ୪ ତାଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୧ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣରେ ଆହତ ହୋଇଥିବା ଅନ୍ୟ ସାତଜଣଙ୍କୁ ‘ବିଡିବିଏ ମୁନିସ୍ପାଲ୍ ଜେନେରାଲ୍ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଛି। ଭୁଶୁଡ଼ିବା ସମୟରେ କେତେକ ପିଲାଙ୍କ ସମେତ ଅନେକ ଲୋକ ସେ କୋଠାରେ ଥିଲେ। ଖବର ପାଇ ଅବିଳମ୍ବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସ ଓ ଜନତାଙ୍କ ସହାୟତାରେ କୋଠାଘରର ଭଙ୍ଗାରୁଜା ଗଦା ତଳେ ଚାପି ହୋଇ ରହିଥିବା ୧୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରୁ ଏବେ ମଧ୍ୟ ଭୁଶୁଡ଼ା କୋଠାର ଭଗ୍ନାଂଶ ପରିଷ୍କାର କରାଯାଉଛି।
‘ବୃହନ୍ମୁମ୍ବାଇ ମୁନିସ୍ପାଲ୍ କର୍ପୋରେସନ୍’ କହିଛି, ପାଖରେ ଥିବା ଅନ୍ୟ ତିନିଟି ବିପଦଶଙ୍କୁଳ କୋଠାରେ ବାସ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି। ମହାରାଷ୍ଟ୍ର ମନ୍ତ୍ରୀ ଅସ୍ଲାମ୍ ଖାଁଙ୍କ କହିବା ଅନୁସାରେ, ସହରରେ ପ୍ରବଳ ବୃଷ୍ଟିପାତ ଯୋଗୁଁ କୋଠାଟି ଭୁଶୁଡ଼ି ପଡ଼ିଲା। ବୁଧବାର ଦିନ ତମାମ ମୁମ୍ବାଇରେ ଅତି ପ୍ରବଳ ବର୍ଷା ଢାଳିଥିଲା। ଏଥିଯୋଗୁଁ ସହରର ବହୁ ଅଞ୍ଚଳ ଜଳାର୍ଣ୍ଣବ ହେବାରୁ ସଡ଼କ ଓ ରେଳପଥରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ଆଗାମୀ ୪ ଦିନ ସକାଶ ମୁମ୍ବାଇ ସମେତ କେତେକ ଜିଲ୍ଲା ନିମନ୍ତେ ଭାରତୀୟ ପାଣିପାଗ ବିଭାଗ ‘ଅରେଞ୍ଜ୍ ଆଲର୍ଟ’ ଜାରି କରିଛି।
ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ମୁମ୍ୱାଇ ସହରର ବିଭିନ୍ନ ରୁଟରେ ଦେଖାଦେଇଛି ଟ୍ରାଫିକ୍ ସମସ୍ୟା । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି, ବିଭିନ୍ନ ସ୍ଥାନରେ ଟ୍ରାଫିକ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ପାଣିପାଗ ବିଭାଗ କହିଛି, ଆଗାମୀ ୨୪ ଘଣ୍ଟା ଯାଏ ଏଭଳି ମୂଷଳଧାରାରେ ବର୍ଷା ହେବ । ଏପରିକି ମୁମ୍ବାଇରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ଚେତାବନୀ ଦିଆଯାଇଛି । ସ୍ଥଳଭାଗକୁ ସମୁଦ୍ର ମାଡ଼ି ଆସିବା ସମ୍ଭାବନା ରହିଛି ।
