ଦେଶରେ ଆଉ ୯୪,୦୫୨ କରୋନା ସଂକ୍ରମିତ ଚିହ୍ନଟ ଓ ୬,୧୪୮ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ୯୪ ହଜାର ଥିବା ବେଳେ ମୃତ୍ୟୁସଂଖ୍ୟା ୬୦୦୦ ଟପିଯାଇଛି। ବିହାର ରାଜ୍ୟ ମୃତ୍ୟୁସଂଖ୍ୟା ସଂଶୋଧନ କରିବାରୁ ଆଜି ଦୈନିକ ମୃତ୍ୟୁସଂଖ୍ୟା ସର୍ବାଧିକ ହୋଇଛି।
ରବିବାର ଗତ ୨୪ଘଣ୍ଟାରେ ୯୪ହଜାର ୦୫୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ହଜାର ୧୪୮ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୧ଲକ୍ଷ ୫୧ହଜାର ୩୬୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୯୧ଲକ୍ଷ ୮୩ହଜାର ୧୨୧କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୫୯ହଜାର ୬୭୬ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୭୬ଲକ୍ଷ ୫୫ହଜାର ୪୯୩ଜଣ ସୁସ୍ଥ ହୋଇଥିବା ବେଳେ ୧୧ଲକ୍ଷ ୬୭ହଜାର ୯୫୨ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
