ଗଣମାଧ୍ୟମର ବିତର୍କରେ ଭାଗ ନେବେନି ବିଏସପି ସୁପ୍ରିମୋ ମାୟାବତୀ
ଲକ୍ଷ୍ନୌ : ନିର୍ବାଚନରେ ହାରି ଗଣମାଧ୍ୟମ ଉପରେ ବାହାର କଲେ ରାଗ । ଗଣମାଧ୍ୟମରେ ଅନୁଷ୍ଠିତ ବିତର୍କରେ ଭାଗ ନେବେନି ବୋଲି ନିଷ୍ପତ୍ତି ନେଇଛନ୍ତି ବିଏସପିର ସୁପ୍ରିମୋ ମାୟାବତୀ । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ନିର୍ବାଚନ ଫଳାଫଳ ପୂର୍ବରୁ ରାଜ୍ୟରେ ବିଏସପି ସରକାର ଗଠନ କରିବା ନେଇ କରିଥିଲେ ଯୋଜନା । ହେଲେ ଫଳାଫଳ ଆସିବା ପରେ ତାଙ୍କ ଦଳ ପାଇଁ ଖାତା ଖୋଲିବା ଭାରୀ ପଡିଯାଇଥିଲା। ରାଜ୍ୟର ମୋଟ ୪୦୩ ଆସନରୁ ବିଏସପି କେବଳ ଗୋଟିଏ ମାତ୍ର ଆସନ ପାଇଛି। ଦଳୀୟ ପରାଜୟ ପରେ କ୍ରୋଧିତ ହୋଇଉଠିଥିବା ବହୁଜନ ସମାଜ ପାର୍ଟି ଅର୍ଥାତ ବିଏସପି ସୁପ୍ରିମୋ ମାୟାବତୀ ଗଣମାଧ୍ୟମ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି । କୌଣସି ଦଳୀୟ ମୁଖପାତ୍ର ଗଣମାଧ୍ୟମରେ ଅନୁଷ୍ଠିତ ହେଉଥିବା ବିତର୍କରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ସେ ।
ଶନିବାର ଟ୍ୱିଟ କରି ବିଏସପି ମୁଖ୍ୟ କହିଛନ୍ତି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଆମ୍ବେଦକରବାଦୀ ବିଏସପି ଆନ୍ଦୋଳନକୁ କ୍ଷତି ପହଞ୍ଚାଇବା ପାଇଁ ମାଲିକଙ୍କ ନିର୍ଦ୍ଦେଶକ୍ରମେ ଗଣମାଧ୍ୟମ ଦ୍ୱାରା କରାଯାଇଥିବା କାର୍ଯ୍ୟ କାହା ପାଖରୁ ଲୁଚି ରହିନାହିଁ । ଏଭଳି ପରିସ୍ଥିତିରେ ଦଳର ମୁଖପାତ୍ରଙ୍କୁ ମଧ୍ୟ ନୂତନ ଦାୟିତ୍ୱ ପ୍ରଦାନ କରାଯିବ। ଦଳୀୟ ମୁଖପାତ୍ର ସୁଧୀନ୍ଦ୍ର ଭଦୌରିଆ, ଧର୍ମବୀର ଚୌଧୁରୀ, ଡକ୍ଟର ଏମ.ଏଚ୍ ଖାନ, ଫୈଜାନ ଖାନ ଏବଂ ସୀମା କୁଶୱାହା ଆଉ ଟିଭି ବିତର୍କରେ ଅଂଶଗ୍ରହଣ କରିବେ ନାହିଁ। ଏହାପୂର୍ବରୁ ଶୁକ୍ରବାର ସେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତାଙ୍କ ଦଳର ପ୍ରଦର୍ଶନ ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ ଏଥର ମୁସଲମାନ ସମ୍ପ୍ରଦାୟ ବିଏସପି ସହ ଅଛନ୍ତି ହେଲେ ସେମାନଙ୍କର ସମ୍ପୂର୍ଣ୍ଣ ଭୋଟ୍ ସମାଜବାଦୀ ପାର୍ଟି ଆଡକୁ ଚାଲିଯାଇଛି। ଏଥର ବିଏସପି ଏକ ବଡ କ୍ଷତି ସହିଛି। ଯଦି ଦଳ ମୁସଲମାନ-ଦଳିତ ଭୋଟ୍ ହାତେଇଥାନ୍ତା ତାହେଲେ ଫଳାଫଳ ଭିନ୍ନ ହୋଇଥାନ୍ତା । ଆମେ ବିଶ୍ୱାସ କରୁ ଯେ ଆମେ ପୁଣି ଥରେ ସଫଳ ହେବୁ । କେବଳ ବିଏସପି ବିଜେପି ଭଳି ଶକ୍ତିକୁ ଅଟକାଇବାକୁ ସକ୍ଷମ । ବିଏସପି କଠିନ ପରିଶ୍ରମର ଫଳ ପାଇଲା ନାହିଁ, ଆମେ ସଂଘର୍ଷ କରୁଛୁ ଏବଂ ଏହି ସଂଗ୍ରାମ ସଫଳ ହେବ। ଏହା ସହିତ ମାୟାବତୀ ଦଳୀୟ ସମର୍ଥକ, ନେତା, ଏବଂ ପଦାଧିକାରୀଙ୍କୁ କୃତଜ୍ଞତା ଜଣାଇଥିଲେ।
