ବିଶ୍ବ ରେକର୍ଡ କରିବ ବ୍ରହ୍ମପୁର ସରକାରୀ ଆଇଟିଆଇ, ସ୍ଥାପିତ ହେବ ବିଶାଳ ହକି ଲୋଗୋ
ବ୍ରହ୍ମପୁର: ସବୁଠି ହକି ଫିଭର୍। ପୁରୁଷ ହକି ବିଶ୍ବ କପ୍ ଆରମ୍ଭ ହେବା ପୂର୍ବରୁ ଟ୍ରଫି ରାଜ୍ୟ ସାରା ପରିକ୍ରମା କରୁଛି। ଯେଉଁଠି ଟ୍ରଫି ପହଞ୍ଚୁଛି ସେଠି ମିଳୁଛି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସରକାରୀ ଆଇଟିଆଇ କର୍ତ୍ତୃପକ୍ଷ କିଛି ନିଆରା ପ୍ରୟାସ କରିଛନ୍ତି।
ଆଇଟିଆଇ ପରିସର ଓପନ୍ ଏୟାର୍ ସ୍କ୍ରାପ୍ ମ୍ୟୁଜିୟମରେ ସ୍ଥାପିତ ହେବ ବିଶାଳ ହକି ଲୋଗୋ। ଏଥିରେ ରହିଛି ୪୩ ଫୁଟ ଉଚ୍ଚ ତଥା ପ୍ରତ୍ୟେକଟି ୨ କୁଇଣ୍ଟାଲ୍ ଓଜନ ବିଶିଷ୍ଟ ଦୁଇଟି ହକି ଷ୍ଟିକ୍ ଏବଂ ଅଢ଼େଇ ଫୁଟ ଗୋଲେଇ ତଥା ପ୍ରାୟ ୨୦ କିଲୋଗ୍ରାମ ଓଜନର ଗୋଟିଏ ବଲ୍। ଜିଆଇ ସିଟ୍ ଓ ବର୍ଜ୍ୟ ଲୁହା ସାମଗ୍ରୀ ବ୍ୟବହାର କରି ଆଇଟିଆଇ ଫିଟର୍, ଓ୍ବେଲଡର୍, ଇଲେକ୍ଟ୍ରିକାଲ, ପେଣ୍ଟର୍ ବିଭାଗର ପ୍ରାୟ ୨୦୦ ଜଣ ପ୍ରଶିକ୍ଷାର୍ଥୀ ଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ ଏହାକୁ ପ୍ରସ୍ତୁତ କରୁଛନ୍ତି।
ପ୍ରାୟ ୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ଲୋଗୋ କଳାକୃତି ଆସନ୍ତା ସପ୍ତାହକ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ପୂର୍ବରୁ ହକି ଲୋଗୋର ଏଭଳି ବିଶାଳ ସ୍କ୍ରାପ୍ କଳାକୃତି ଆଉ କେଉଁଠି କରାଯାଇନାହିଁ। ଏଣୁ ବ୍ରହ୍ମପୁର ଆଇଟିଆଇ ପ୍ରସ୍ତୁତ ଏହି ଲୋଗୋ ବିଶ୍ବ ରେକର୍ଡ କରିବା ସହ ଗିନିଜ୍ ବୁକ୍ ଅଫ୍ ଓ୍ବର୍ଲଡ ରେକର୍ଡସ୍ ମଧ୍ୟରେ ସାମିଲ କରାଯିବାକୁ ଆବେଦନ କରାଯିବ ବୋଲି ବ୍ରହ୍ମପୁର ସରକାରୀ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
