ବାଲିଘାଟକୁ ନେଇ ବୋମାମାଡ଼, ଜଣେ ମୃତ
ଯାଜପୁର : ସାମାନ୍ୟ କଥାକୁ ନେଇ ଫୁଟିଲା ବୋମା । ବାଲିଘାଟ ବିବାଦକୁ ନେଇ ଏପରି କାଣ୍ଡ ବୋମାମାଡ଼ ହୋଇଛି । ଏହି ଘଟଣା ୟାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ମୃକତକ ଜଣଙ୍କ ହେଲେ ବିଂଝାରପୁର ଥାନା ଅଧୀନ ଫତେପୁର ପଂଚାୟତର ମନେଇ ବାଲିଘାଟ (ଖରସ୍ରୋତା ନଦୀ)ର ଲିଜଧାରୀ ସୁରେନ୍ଦ୍ର ଦାଶ(୪୭) । ବୋମା ମାଡ଼ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ବିଂଝାରପୁର ଡାକ୍ତରଖାନାକୁ ଅଣାଯାଇଥିଲା । ସୁରେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସୁରେନ୍ଦ୍ରଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଛନ୍ତି ।
ସୂଚନା ଯେ, ବିଂଝାରପୁର ତହସିଲ ପକ୍ଷରୁ ଖରସ୍ରୋତା ନଦୀର ମନେଇ ବାଲିଘାଟ ଦୀର୍ଘ ଦିନ ପରେ ନିଲାମ କରାଯାଇଥିଲା । ସୁରେନ୍ଦ୍ର ଓ ଅନ୍ୟ ୩ଜଣ ମିଶି ଏହି ବାଲିଘାଟ ପରିଚାଳନା କରୁଥିଲେ । ଏହା ନିଲାମ ହେବା ପୂର୍ବରୁ ବହୁ ବର୍ଷ ହେଲା ଟେରା ମଲ୍ଲିକ ଏହି ବେଆଇନ ବାଲିଘାଟକୁ ନିଜ ଦଖଲରେ ରଖିଥିଲେ । ଏପରିକି ବାଲିଘାଟ ସମ୍ମୁଖରେ ଥିବା ବ୍ୟକ୍ତିଗତ ଜମିକୁ ଏଗ୍ରିମେଂଟ କରି ନିଜ ଦଖଲରେ ରଖିଥିବାରୁ ଏହି ବାଲିଘାଟ ନିଲାମ ହୋଇପାରୁ ନଥିଲା । ବିଂଝାରପୁର ତହସିଲଦାର ଅନ୍ୟ ବାଟରେ ଗାଡ଼ି ଚଳାଚଳ କରିବାକୁ ସୁବିଧା କରିବା ପରେ ଚଳିତଥର ଏହି ବାଲିଘାଟ ନିଲାମ ହୋଇଥିଲା । ଏହାକୁ ନେଇ ଟେରା ଓ ସୁରେନ୍ଦ୍ରଙ୍କ ମଧ୍ୟରେ ବିବାଦ ଲାଗିରହିଲା । ଫଳରେ ଗତ ୧୯ତାରିଖରେ ମଧ୍ୟ ସୁରେନ୍ଦ୍ରଙ୍କ ଉପରକୁ ଟେରା ଏକାଧିକ ମୋବା ଫିଙ୍ଗିଥିବାର ନିଜେ ସୁରେନ୍ଦ୍ର ବିଂଝାରପୁର ଥାନାରେ ଏତଲା କରିଥିଲେ । ମାତ୍ର ପୁଲିସ୍ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଯାହାର ଫଳ ସ୍ୱରୂପ ଆଜି ଏଭଳି ସାଂଘାତିକ ଘଟଣା ଘଟିଲା ବୋଲି ମୃତ ସୁରେନ୍ଦ୍ରଙ୍କ ପତ୍ନୀ ନମିତା ଦାଶ ଅଭିଯୋଗ କରିଛନ୍ତି ।
