ପଶ୍ଚିମବଙ୍ଗରେ ଥମୁନି ହିଂସା, ଟିଏମ୍ସି ନେତାଙ୍କୁ ଗୁଳି କରି ହତ୍ୟା
କୋଲକାତା : ପଶ୍ଚିମବଙ୍ଗରେ ହିଂସା ଥମିବାର ନାଁ ନେଉନାହିଁ । ବୁଧବାର ବିଳମ୍ବିତ ରାତିରେ ନାଦିଆ ଜିଲାରେ ଆଉ ଜଣେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ନାମ ସାହଦେବ ମଣ୍ଡଳ ବୋଲି କୁହାଯାଉଛି । ସେ ଟିଏମସିର ଜଣେ ସ୍ଥାନୀୟ କର୍ମୀ ଥିଲେ । ସାହଦେବଙ୍କ ପତ୍ନୀ ଅନିମା ମଣ୍ଡଳ ବାଗୁଲା ଗ୍ରାମ ପଞ୍ଚାୟତ ୨ନମ୍ବରର ଜଣେ ସଦସ୍ୟ । ବୁଧବାର ରାତିରେ ସ୍ଥାନୀୟ ଲୋକମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଲୋକମାନେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ ।
ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ଶକ୍ତି ନାଗରର କୃଷ୍ଣନଗର ଡାକ୍ତରଖାନାକୁ ପଠାଯାଇଥିଲା ଯେଉଁଠାରେ ସାହଦେବ ଡାକ୍ତର ମୃତ ଘୋଷଣା କରିଥିଲେ । ଟିଏମସି ନେତାଙ୍କ ହତ୍ୟା ପରେ ଏହି ହିଂସା ଆରମ୍ଭ ହୋଇଛି । ସୂଚନା ଥାଉ କି, ପଶ୍ଚିମବଙ୍ଗର ବୀରଭୂମରେ ଟିଏମସିର ଜଣେ ପଞ୍ଚାୟତ ନେତାଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ମାର୍ଚ୍ଚ ୨୧ରେ ସମ୍ପୂର୍ଣ୍ଣ ଜିଲ୍ଲାରେ ହିଂସା ଆରମ୍ଭ ହୋଇଥିଲା । ଏହି ହିଂସାରେ ଏପର୍ୟ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଲୋକଙ୍କ ଘରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ସେମାନେ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ଏହା ବ୍ୟତୀତ ବହୁ ସଂଖ୍ୟକ ଲୋକ ମଧ୍ୟ ଆହତ ହୋଇଥିଲେ।
