ବାଣ ତିଆରି ବେଳେ ବିସ୍ପୋରଣ : ୭ ମୃତ, ୧୨ରୁ ଉର୍ଦ୍ଧ୍ୱ ଗୁରୁତର
ଭାଗଲପୁର : ବିହାରର ଭାଗଲପୁରରେ ଗୁରୁବାର ରାତିରେ ଅନେକ ବୋମା ବିସ୍ଫୋରଣ ଘଟିଛି । ଯାହା ଫଳରେ ସମଗ୍ର ସହର ଥରି ଉଠିଥିଲା । ବିସ୍ଫୋରଣର ଶବ୍ଦ ପୂରା ସହରରେ ଶୁଣାଯାଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଦୁଇରୁ ତିନୋଟି ଘରକୁ ନଷ୍ଟ କରିଦେଇଛି । ଏହି ଭାଗଲପୁର ବିସ୍ଫୋରଣ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଭାଗଲପୁର ରେଞ୍ଜର ଡିଜି ସୁଜିତ କୁମାର ଏହି ଘଟଣାର ପ୍ରାଥମିକ କାରଣ ବାରୁଦ, ବାଣ ଏବଂ ଦେଶୀ ବୋମା ତିଆରି କରିବା କଥା କହିଛନ୍ତି । ସେ କହିଛନ୍ତି ଯେ ଏଫଏସଏଲର ଅନୁସନ୍ଧାନ ପରେ ଅନେକ ଜିନିଷ ସାମ୍ନାକୁ ଆସିବ ।
ଏହି ଘଟଣା କୋଟୱାଲି ପୋଲିସ ଷ୍ଟେସନଠାରୁ ୧୦୦ ମିଟର ଦୂରରେ ଅବସ୍ଥିତ ଏକ ଘରେ ଘଟିଛି । ଏହି ବିସ୍ଫୋରଣରେ ତିନି ମହଲା ବିଶିଷ୍ଟ ଘର ଭାଙ୍ଗି ମାଟିରେ ମିଶିଯାଇଛି । ଏଥିସହିତ ନିକଟସ୍ଥ ଏକ କିମ୍ବା ଦୁଇଟି ଘର ମଧ୍ୟ ସମାନ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ଡିଜି ସୁଜିତ କୁମାର, ଡିଏମ୍ ସୁବ୍ରତ କୁମାର ସେନ୍, ଏସଏସପି ବାବୁ ରାମ ଭାରୀ ପୋଲିସ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ନଜର ରଖିଛନ୍ତି ।
ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଭାଗଲପୁରର ଜେଏଲଏନ ହସ୍ପିଟାଲ ମାୟାଗଞ୍ଜରେ ଭର୍ତ୍ତି କରାଯାଇଛି । ପ୍ରଶାସନ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିପାରେ । ଏହି ଘଟଣା ସମ୍ପର୍କରେ ପଡୋଶୀ ଯୁବକ ୟୁସୁଫ ଅଭିଯୋଗ କରିଛନ୍ତି ଯେ ଘର ମାଲିକ ବୋମା ତିଆରି କରିବାର ବ୍ୟବସାୟ କରୁଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ସହିତ ଏହି ଘଟଣାର ତଦନ୍ତରେ ପୋଲିସ ଲାଗିଛି । ଲୋକମାନେ କହୁଛନ୍ତି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସହରର ଅଧିକାଂଶ ସ୍ଥାନରେ ଏହାର ଶବ୍ଦ ଶୁଣାଯାଇଥିଲା ।
