ଦେଶରେ ଆଉ ୬,୩୯୬ ସଂକ୍ରମିତ ଓ ୨୦୧ ମୃତ
ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ। ମାତ୍ର ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିଛି । ଏହି ପରିପ୍ରେକ୍ଷୀରେ ଗୋଟିଏ ଦିନରେ କୋଭିଡ-୧୯ ର ୬,୩୯୬ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୨୯,୫୧,୫୫୬ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୯,୮୯୭ କୁ ଖସି ଆସିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳ ୮ ଟାରେ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଦିନକରେ ୨୦୧ ଜଣ ଲୋକ ସଂକ୍ରମଣରେ ମୃତ୍ୟୁବରଣ କରିବା ପରେ ଦେଶରେ ମୃତ୍ୟୁ ସଂଖ୍ୟା ୫,୧୪,୫୮୯ କୁ ବୃଦ୍ଧି ପାଇଛି । କ୍ରମାଗତ ୨୬ ଦିନ ଧରି ଦେଶରେ ଦୈନିକ ସଂକ୍ରମଣର ସଂଖ୍ୟା ଏକ ଲକ୍ଷରୁ କମ୍ ରହିଆସିଛି । ସଦ୍ୟତମ ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୦.୬୯ ପ୍ରତିଶତ ଏବଂ ସାପ୍ତାହିକ ହାର ୦.୯୦ ପ୍ରତିଶତ ରେକର୍ଡ କରାଯାଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ମୋଟ ୪,୨୩,୬୭,୦୭୦ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି ଏବଂ କୋଭିଡ -୧୯ ରୁ ମୃତ୍ୟୁ ହାର ୧.୨୦ ପ୍ରତିଶତ ରହିଛି। ଏଥି ସହିତ, ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୭୮.୨୯ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।
