ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା : ନିଖୋଜ ମାଛଧରାଳିଙ୍କ ଶବ ଉଦ୍ଧାର
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଶନିବାର ମାଛ ଧରୁଥିବା ବେଳେ ଡଙ୍ଗାରୁ ଖସିପଡି ନିଖୋଜ ଥିବା ମାଛ ଧରାଳିର ମୃତ ଶରୀର ୧୮ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ଉଦ୍ଧାର ମୃତଶରୀରକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଥିବାର ପାପରମେଟଲା ଥାନା ଅଧିକାରୀ ମାନସ ରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ବଡପଡା ପଂଚାୟତ କାଦଗୁମା ଗ୍ରାମରେ । କାଦଗୁମ୍ମା ଗ୍ରାମର ମଙ୍ଗରା ପାଙ୍ଗି ( ୪୬ ) ଓ ତାଙ୍କ ପତ୍ନୀ ସୋଲେଇ ପାଙ୍ଗି ଏକ ହୁଲି ଡ଼ଙ୍ଗାରେ ମାଛ ଧରିବାକୁ ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଯାଇଥିଲେ । ମଙ୍ଗରା ପାଙ୍ଗି ଡ଼ଙ୍ଗାରେ ବସି ମାଛ ଧରିବା ପାଇଁ ଜାଲ ପକାଉଥିବା ସମୟରେ ହଠାତ ତାଙ୍କ ଗୋଡ ଖସିଯିବାରୁ ସେ ଭାରସାମ୍ୟ ହରାଇ ଡଙ୍ଗାରୁ ଖସିପଡି ଜଳଭଣ୍ଡାର ଭିତରେ ବୁଡିଯାଇଥିଲେ । ଜଳଭଣ୍ଡାରରେ ବୁଡି ନିଖୋଜ ହୋଇଯାଇଥିବା ନେଇ ମଙ୍ଗରାଙ୍କ ସ୍ତ୍ରୀ ଥାନାରେ ଜଣାଇଥିଲେ । ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଚିତ୍ରକୋଣ୍ଡାସ୍ଥିତ ଅଗ୍ନିଶମ ବାହିନୀଙ୍କୁ ଡାକି ବୁଡ଼ି ଯାଇଥିବା ସ୍ଥାନରେ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ମଙ୍ଗରା ପାଙ୍ଗିଙ୍କର କୌଣସି ସନ୍ଧାନ ମିଳିନଥିଲା । ରବିବାର ସକାଳୁ ପୁଣି ଅଗ୍ନିଶମ ବାହିନୀ ଓ ପୁଲିସ ପକ୍ଷରୁ ଜଳଭଣ୍ଡାରର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଦିନ ୧୦ ଟାରେ ମଙ୍ଗରାଙ୍କ ମୃତ ଶରୀରକୁ ଠାବ କରି ଉଦ୍ଧାର କରିଥିଲେ । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛି ପୁଲିସ । ମୃତ ମଙ୍ଗରାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
