ପାଲବଣି ବାଇପାସରେ ବାରିପଦା ପ୍ରବେଶ ପଥ ବନ୍ଦ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଜାତୀୟ ରାଜପଥ ବିଭାଗକୁ ଦାବୀପତ୍ର ପ୍ରଦାନପୌରପରିଷଦ କାଉନସିଲ ବୈଠକରେ ବିକଳ୍ପ ବ୍ୟବସ୍ଥା ପାଇଁ ଦାବୀ
ବାରିପଦା : ଜାତୀୟ ରାଜପଥ ନଂ ୧୮ ବାଲେଶ୍ୱର ରୁ ଝାରପୋଖରୀଆ ନିର୍ମାଣ କାମ ପ୍ରାୟତ ଶେଷ ପର୍ଯ୍ୟାୟରେ ଥିବା ବେଳେ, ପାଲବଣୀ ବାଇପାସ ନିକଟରେ ବାରିପଦା ସହରର ପ୍ରବେଶ ପଥରୁ ଜାତୀୟ ରାଜପଥର ବାମ ପଟକୁ ଯିବାର କୌଣସି ସୁବିଧା କରାଯାଇ ନଥିବାରୁ ଜନସାଧାରଣ ବାମ ପଟକୁ ଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି । ସେମାନେ ଡାହାଣ ପଟ ରାସ୍ତାରେ ପ୍ରାୟ ଏକ କିଲୋମିଟର ଯିବାପରେ ବାମ ପଟକୁ ଯିବା ପାଇଁ ବ୍ୟବସ୍ଥା କରାଯାଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି । ବିଭିନ୍ନ ସମୟରେ ଦୂର୍ଘଟଣା ମାନ ମଧ୍ୟ ଘଟୁଥିବା ବେଳେ, ସ୍ଥାନୀୟ ଜନସାଧାରଣ ରାସ୍ତାରୋକ ମଧ୍ୟ କରିଥିଲେ । ସେହିପରି ଦାରୋଗାଡାହି ଠାରୁ ମୂର୍ଗାବାଡି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥର ବାମ ପଟରୁ ଡାହାଣ ପଟକୁ ଯିବାର କୌଣସି ସୁବିଧା କରାଯାଇନଥିବାରୁ ଜନସାଧାରଣ ଉଭୟ ପଟକୁ ଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି । ଉକ୍ତ ଜାତୀୟ ରାଜପଥରେ ଫ୍ଲାୟ ଅଭର ନିର୍ମାଣ କରାଯିବା ସମୟରେ କୌଣସି ଜନ ଶୁଣାଣୀ କରାନଯିବା କିମ୍ବା ବାରିପଦା ପୌରାଂଚଳ ମଧ୍ୟରେ ଉକ୍ତ ପ୍ରକଳ୍ପ କାମ ହେଉଥିବା ବେଳେ ପୌରପାଳିକା ଓ ଜିଲ୍ଲାପ୍ରଶାସନ ସ୍ତରରେ ନିର୍ମାଣ ସମ୍ବନ୍ଧୀୟ କୌଣସି ଆଲୋଚନା କରାନଯାଇ ଭୁଲ ଯୋଜନାରେ କାମ କରିଥିବାରୁ ଜନସାଧାରଣଙ୍କ ଗମନାଗମନରେ ଅଶେଷ ଅସୁବିଧା ହେଉଅଛି । ଏଥିପାଇଁ ବିଗତ ତା ୨୫/୧୧/୨୨ ରିଖ ବାରିପଦା ପୌରପରିଷଦ କାଉନସିଲ ବୈଠକରେ ଉପସ୍ଥିତ ସଦସ୍ୟ/ସଦସ୍ୟା ମାନେ ଅସନ୍ତୋଷ ପ୍ରକାଶ କରି ଯଥାଶୀଘ୍ର ବିକଳ୍ପ ବ୍ୟବସ୍ଥା କରାଯିବାକୁ ଦାବୀ କରିଥିଲେ । ତେବେ ଆଜି ବିଜେଡି ମୟୂରଭଂଜ ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ମୟୂରଭଂଜ ଜିଲ୍ଲାପାଳଙ୍କ ମାଧ୍ୟମରେ ଜାତୀୟ ରାଜପଥ ବିଭାଗର ପ୍ରକଳ୍ପ ଅଧିକାରୀଙ୍କୁ ଏସଂପର୍କରେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବାର ଜଣାଯାଇଛି । ଦାବୀପତ୍ରରେ ପାଲବଣୀ ନିକଟସ୍ଥ ବାରିପଦା ସହରର ପ୍ରବେଶ ପଥରୁ ଅବରୋଧ ହଟାଯାଇ ବର୍ତମାନ ସେଠାରେ ସ୍ପିଡ ବ୍ରେକର ଏବଂ ଟ୍ରାଫିକ୍ ବ୍ୟବସ୍ଥା କରାଯିବା ଏବଂ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ଅଣ୍ଡର ପାସ ନିର୍ମାଣ କରିବାକୁ ଦାବୀ କରା ଯାଇଛି । ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ପ୍ଲାନିଂ ଏକ୍ସପର୍ଟ ସଦଶ୍ୟ ଜିତେନ୍ଦ୍ର କୁମାର ମହାନ୍ତି, ମୟୂରଭଂଜ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ପୂର୍ବତନ ବିଧାୟକ ଭାଦବ ହାଁସଦା, କାଉନସିଲର ଦେବାଶିଷ ପାତ୍ର, ଅନନ୍ତ ମହାନ୍ତି, ପ୍ରଭାତ ନାୟକ ପ୍ରମୁଖ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।
