ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ- ଓଡିଆଙ୍କ ସଂସ୍କୃତି ଓ ପରମ୍ପରା ବିଶ୍ୱରେ ଅନନ୍ୟ : ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିରଳ ବିଜ୍ଞାନ
ଜଳେଶ୍ୱର : ବିଶ୍ୱରେ ନୂତନତ୍ୱ ସୃଷ୍ଟି ବିଶେଷ ଜ୍ଞାନକୁ ଅଧିକ ରୁଦ୍ଧିମନ୍ତ କରୁଥିବା ବେଳେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଏକ ବିରଳ ବିଜ୍ଞାନ । ତାହା ଓଡିଆଙ୍କ ସଂସ୍କୃତି ଓ ପରମ୍ପରା ମଧ୍ୟରେ ପଠାଣୀ ସାମନ୍ତଙ୍କ ଦୂର ପାହାଡର ଉଚ୍ଚତା ସ୍ଥିର କରିବା ସମଗ୍ର ବିଶ୍ୱରେ ଶ୍ରେଷ୍ଠ କୌଶଳ ବୋଲି ଆଜି ଜଳେଶ୍ୱର ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରକାଶ କରିଛନ୍ତି । ବ୍ଲକ ସ୍ତରୀୟ ଏହି ପ୍ରଦର୍ଶନୀ ଖୁଲୁଡା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମନ୍ତ୍ରୀ ଶ୍ରୀ ପାତ୍ର ଏହାକୁ ଉଦ୍ଘାଟନ କରି ବିଜ୍ଞାନର ଶ୍ରେଷ୍ଠ କୃତି ବୋମା ନ ହୋଇ ଶାନ୍ତିର ଜୈତ୍ରୀ ବାନା ଉଡାଇବା ଉଚିତ୍ ବୋଲି କହିଛନ୍ତି । ଦୂରସ୍ଥାନର ସଠିକ୍ ମାପ ଜାଣିବା ଲାଗି ବିଶେଷ ଶିକ୍ଷା ପାଇନଥିବା ପଠାଣୀ ସାମନ୍ତ ନଳି ସାହାର୍ଯ୍ୟରେ ପାହାଡର ଉଚ୍ଚତା ନିରୂପଣ କରିବା, ଶିକ୍ଷାଗତ ଯୋଗ୍ୟତା କିମ୍ବା ପ୍ରଶିକ୍ଷଣ ନ ଥାଇ ମହାରଣାମାନେ ଶ୍ରୀଜଗନ୍ନାଥଙ୍କ ରଥ ଓ କୋଣାର୍କର ଶିଳ୍ପୀ ଅକ୍ଷୁର୍ଣ୍ଣ ଭାବେ ମନ୍ଦିର ତିଆରୀ କରିବା, ବିଜ୍ଞାନର ଶ୍ରେଷ୍ଠତମ କୃତି ବୋଲି ସେ କହିଥିଲେ । ଅଧ୍ୟବସାୟ ସାଧନା ଓ ମାନସିକତା ରହିଲେ ସଫଳତା ମିଳିପାରେ । ବାଲେଶ୍ୱର ଜିଲାର ପ୍ରତି ମାଧ୍ୟମିକ ବିଦ୍ୟାଳୟରେ ସପ୍ତାରେ ୧ଦିନ ଆଲୋଚନା କରିବାକୁ ଜିଲା ଶିକ୍ଷାଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥିଭାବେ ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୁତାର ଯୋଗ ଦେଇ ବିଜ୍ଞାନ ହିଁ ମାନବ ସଭ୍ୟତାକୁ ଅଧିକ ବିକଶିତ ଓ ସମୃଦ୍ଧ କରିଛି । ବିଜ୍ଞାନୀ ମଣିଷର ବୈଜ୍ଞାନିକ ଚିନ୍ତା, ଚେତନା ଓ ସାଧନା ନୂତନ ବିଶ୍ୱ ନିର୍ମାଣର ଖସଡା ବୋଲି କହିବା ସହିତ ଶିଶୁ ମାନସରେ ବୈଜ୍ଞାନୀକ ଚେତନାର ଝଲକ ଭରିଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ । ଜଳେଶ୍ୱରର ଭାରପ୍ରାପ୍ତ ଶିକ୍ଷାଧିକାରୀ ଅଜୟ କୁମାର ଜେନା ଏଥିରେ ସଭାପତିତ୍ୱ କରି ବିଜ୍ଞାନ ପ୍ରଦର୍ଶନୀର ଉଦ୍ଦେଶ୍ୟ ଓ ଶିକ୍ଷକମାନଙ୍କ କର୍ତ୍ତବ୍ୟ ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀ ଧର ପାତ୍ର, ଜିଲା ବିଜ୍ଞାନ ପରିଦର୍ଶକ କୃଷ୍ଣ ମୋହନ ସିଂହ, ସରପଂଚ ଜ୍ୟୋତିର୍ମୟ ଆଚାର୍ଯ୍ୟ, ପ୍ରଧାନ ଶିକ୍ଷକ ଡ. ଅଜିତ୍ ମହାନ୍ତି, ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ବିଜ୍ଞାନର ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ତଥା ଛାତ୍ରଛାତ୍ରୀଙ୍କ ଉପରେ ଏହାର ପ୍ରଭାବ ସଂପର୍କରେ କହିଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ କୁଂଜ ବିହାରୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରି ଗତ ବର୍ଷ ଜଳେଶ୍ୱର ବ୍ଳକ ସମଗ୍ର ରାଜ୍ୟରେ କୃତିତ୍ୱ ଅର୍ଜନ କରିଥିବା ସଂପର୍କରେ କହିଥିଲେ । ସୁକୁମାର ମିଶ୍ର ମଂଚ ସଂଚାଳନ କରିଥିବା ବେଳେ ଦିଲ୍ଲିପ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସଦସଶିବ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆବାହନୀ ସଂଗୀତ ପରିବେଷଣ କରିଥିଲେ । ମୋଟ ୯୮ଟି ଷ୍ଟଲ କୁନି ବୈଜ୍ଞାନୀକଙ୍କ ଦ୍ୱାରା ପ୍ରଦର୍ଶୀତ ହୋଇଥିଲା । ୭ଟି ଷ୍ଟଲ ଜିଲା ସ୍ତରକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିରେ ସୁକାନ୍ତ କୁମାର ଦାସ, ଶଶୀକାନ୍ତ ପ୍ରଧାନ, ପ୍ରଭାତରଂଜନ ଦାସ, ଦୁର୍ଗଶଂକର ଜେନା ପ୍ରମୁଖ ଜଜ୍ଭାବେ ମୂଲ୍ୟାୟନ କରିଥିଲେ ।
