ମହିଳାଙ୍କ ଅଶ୍ଳୀଳ ଭିଡିଓ ରଖି ବ୍ଲାକମେଲିଂ ଓ ଆକ୍ରମଣ ଘଟଣା ଡିଜିପିଙ୍କୁ ଫେରାଦ ହେଲେ ପୀଡିତା
କଟକ : ମହିଳାଙ୍କୁ ବ୍ଲାକମେଲିଂ ଓ ଆକ୍ରମଣ କରିଥିବା ନେଇ ଡିଜିପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ରାଉଳିଆ ଗ୍ରାମର ଉକ୍ତ ମହିଳା ସସ୍ମିତା ପଲାଇଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓକୁ ନେଇ ନିଉଜ-୭ର ପ୍ରତିନିଧି ପଟ୍ଟାମୁଣ୍ଡାଇ ଦିଆନପୁରର ସରୋଜ ରଥ ତାଙ୍କୁ ଦୀର୍ଘ ଦିନ ହେବ ବ୍ଲାକମେଲିଂ କରିଆସୁଥିଲା । ଏନେଇ ସସ୍ମିତା ଗତ ୨୬ ତାରିଖରେ ପଟ୍ଟାମୁଣ୍ଡାଇସ୍ଥିତ ନିଉଜ-୭ ଅଫିସରେ ପହଞ୍ଚି ଉକ୍ତ ଅଶ୍ଳୀଳ ଭିଡିଓ ଓ ଫଟୋ ଡିଲିଟ କରିବାକୁ ସରୋଜକୁ ନିବେଦନ କରିଥିବା ବେଳେ ସରୋଜ ତାଙ୍କୁ ବିଧା, ଗୋଇଠା, ଚାପୁଡା ମାରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏ ବାବଦରେ ସସ୍ମିତା ସରୋଜ ବିରୋଧରେ ଥାନାରେ ଅଭିଯୋଗ କରିଥିଲା ବେଳେ ସରୋଜ ମଧ୍ୟ ସସ୍ମିତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ତେବେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ସରୋଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ କେନ୍ଦ୍ରାପଡା କିମ୍ବା ରାଜକନିକା ଥାନାରେ ଏତଲା ଦେବାକୁ କହିଥିଲେ । ହେଲେ ପଟ୍ଟାମୁଣ୍ଡାଇ ଥାନାରେ ଏହି ଘଟଣା ରେଜିଷ୍ଟ୍ରି ହୋଇଥିଲା । ପରେ ପୋଲିସ ବାବୁମାନେ ତାଙ୍କୁ ପୋଲିସ ଗାଡିରେ ନେଇ କେନ୍ଦ୍ରାପଡା କନ୍ୟା ସୁଧାର ଗୃହରେ ରଖିଲେ । ଡାକ୍ତରୀ ମାଇନା ପରେ ତାଙ୍କର ବୟାନ ରେକର୍ଡ କରାଯାଇ ଘରକୁ ପଠାଯାଇଥିଲା । ମାତ୍ର ସରୋଜକୁ ଏପର୍ଯ୍ୟନ୍ତ ପୋଲିସ ଗିରଫ କରିନଥିବାରୁ ଓ ସେଠାକାର ପୋଲିସ ତାଙ୍କୁ ଗାଳିଗୁଲଜ କରିଥିବାରୁ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଜି ପୋଲିସ ମହାନିର୍ଦ୍ଦେଶକଙ୍କୁ ସସ୍ମିତା ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଯଦି ଉକ୍ତ ଘଟଣାର ସତ୍ୟାସତ୍ୟର ତଦନ୍ତ କରାଯାଇ ତାଙ୍କୁ ନ୍ୟାୟ ନ ମିଳେ ତେବେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି I
