ବିକାଶ ନାମରେ ପ୍ରତାରଣା ନକରନ୍ତୁ ରାଜ୍ୟ ସରକାର ! ଦାଦନ ମୁକ୍ତ ବାଲେଶ୍ୱର ଘୋଷଣା କରିବେ କି ମୁଖ୍ୟମନ୍ତ୍ରୀ : ମାନସ ଦତ୍ତ
ବାଲେଶ୍ୱର : ବାଲେଶ୍ୱର ଜିଲା ଗସ୍ତରେ ଆସୁଥିବା ଏବଂ ବାଲେଶ୍ୱର ଉପ-ନିର୍ବାଚନ ସମୟରୁ ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ, ବାଲେଶ୍ୱର ଜିଲାରେ ଶାସକ ଦଳର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଶିଳ୍ପ ମନ୍ତ୍ରୀ ଏବଂ ବାଲେଶ୍ୱର ଜିଲାକୁ ପ୍ରତିନିଧିତ୍ୱ କରୁଥିବା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତ ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଭିନ୍ନ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୂର୍ବରୁ ଏବଂ ବିଶେଷ ଭାବେ ଉପ-ନିର୍ବାଚନ ଠାରୁ ବାଲେଶ୍ୱରର ଦାୟିତ୍ୱ ଗ୍ରହଣ କରିବା ସହିତ ବହୁ ପ୍ରତିଶୃତି ମଧ୍ୟ ଦେଇଥିଲେ ଯାହା ଆଜି ପାଣିର ଗାର ସଦୃଶ୍ୟ । ଜିଲାର ବିକାଶ କରେଇବ କହି ନକଲି ବିକାଶ କାହିଁକି କରୁଛ ବୋଲି ଶ୍ରୀ ଦତ୍ତ ପ୍ରଶ୍ନ କରିଛନ୍ତି ।

ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ବିକାଶମୂଳକ କାମ ଠିକ୍ ମାନରେ କରାଯାଉଛି କି? ଦିନେ ଶିଳ୍ପ ଓ କୃଷି ଆମକୁ ପରିଚୟ ଦେଇଥିଲା, ମାତ୍ର ୨୩ ବର୍ଷରେ ଏ ସରକାର ପରିଚୟ ନଷ୍ଟ କରିଦେଲେ । ଦୀର୍ଘ ଦିନ ଧରି କ୍ଷମତାରେ ରହିବା ପରେ ମଧ୍ୟ ଶିଳ୍ପ ସଂସ୍ଥା ରୁଗଣ ହୋଇଯାଇଛି । କୌଣସି ନୂତନ ଶିଳ୍ପ ପ୍ରତିଷ୍ଠାନ ଖୋଲିବା ତ ଦୂରର କଥା ୭୦୦୦ରୁ ଉର୍ଦ୍ଧ୍ୱ ପରିବାର ନିର୍ଭର କରୁଥିବା ବିର୍ଲା ଟାୟାର୍ସ ଆଜି ବନ୍ଦ, ଏଥି ପ୍ରତି ରାଜ୍ୟ ସରକାର କୌଣସି ବି ପଦକ୍ଷେପ ଗ୍ରହଣ କରୁନାହାନ୍ତି କଣ ପାଇଁ? ସେହିପରି ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଧାନ ସଂଗ୍ରହ ପ୍ରକ୍ରିୟା, ମଣ୍ଡିରେ ତ୍ରୁଟିପୂର୍ଣ୍ଣ ପରିଚାଳନା ଏବଂ କଟନୀ ଛଟନୀ ସମସ୍ୟା ଚାଷୀମାନଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ପରିବା ଅମଳ ହୋଇ ନଷ୍ଟ ହେଇଯାଉଛି, କିନ୍ତୁ ଅତି ଦୁର୍ଭାଗ୍ୟର ବିଷୟ ଶୀତଳ ଭଣ୍ଡାର ଟିଏ ହୋଇପାରିଲା ନାହିଁ । ସାଢ଼େ ସାତ କୋଟି ଟଙ୍କାର ସିଟି ବସ ଏବେ ଖତ ଖାଉଛି, ସହର ବାସୀଙ୍କର ଗମନାଗମନ ସୁବିଧା ପାଇଁ ଛାମୁ ଟିକିଏ ବି ଚିନ୍ତିତ ନୁହଁ, ରିଂ ରୋଡ୍ ପ୍ରକଳ୍ପକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ଉଦ୍ଘାଟନ କରିଥିଲେ ଏବଂ ତାହା ୩ ବର୍ଷରେ ସମ୍ପୂର୍ଣ୍ଣ ହେବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ, ମାତ୍ର ସେ ପ୍ରତିଶୃତି ଆଜି ପ୍ରତିଶୃତିରେ ହିଁ ରହିଯାଇଛି । ୧୨ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ଶୁଭ ଦେଇଥିବା ଗଣେଶ୍ୱରପୁର ଠାରେ ବାଲେଶ୍ୱର ନୂତନ ବସ୍ଷ୍ଟାଣ୍ଡର ଆଜି ଯାଏଁ ପାଛିଏ ମାଟି ତ ପଡ଼ିବାର ଦୂରର କଥା ପ୍ରକଳ୍ପକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଯୋଜନା ହେଉଥିବା କଥା ଶୁଣିବାକୁ ମିଳୁଛି । ଚିଟ୍ଫଣ୍ଡରେ ଉତ୍ତର ଓଡିଶାରେ ସର୍ବାଧିକ ଠକେଇର ଶିକାର ହୋଇଥିବା ବାଲେଶ୍ୱରର ଅନେକ ଲୋକ ମାନଙ୍କ ପଇସା ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ଯାଏଁ ଜଣଙ୍କୁ ମଧ୍ୟ ଟଙ୍କା ଟିଏ ଦିଆଯାଇନାହିଁ । ବିଶେଷ କରି ଯେଉଁ ଶୋଭାରାମପୁର ବ୍ରିଜ ଉଦ୍ଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏତେ ତତ୍ପର, ଉକ୍ତ ବ୍ରିଜର ସିଂହ ଭାଗ ଅର୍ଥ କେନ୍ଦ୍ର ସରକାର ଦେଇଛନ୍ତି । ମାତ୍ର ସାମାନ୍ୟତମ ସୌଜନ୍ୟତା ନଦେଖାଇ କେନ୍ଦ୍ରର ମନ୍ତ୍ରୀଙ୍କୁ ସୂଚନା ନଦେଇ ପୋଲର ଏକାକୀ ଉଦ୍ଘାଟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶହ ଶହ ଉଠା ଦୋକାନୀଙ୍କୁ ଥଇଥାନ କରିବା ପାଇଁ ବାରମ୍ବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ଯାଏଁ ଦୋକାନୀ ଭାଇମାନଙ୍କ କଥା ସରକାର ବୁଝିଲେ ନାହିଁ । ସ୍ମାର୍ଟ ଭେଣ୍ଡିଂ ଜୋନ୍ ନିର୍ମାଣ କରିବା ପ୍ରତିଶୃତି କେବଳ କଥାରେ ସୀମିତ ରହିଗଲା । ବାଲେଶ୍ୱର ମେଡ଼ିକାଲ କଲେଜ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସ୍ନାୟୁ, ହୃଦ୍ରୋଗ ବିଭାଗର ଡାକ୍ତର ନଥିବା ସ୍ଥଳେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଅବସ୍ଥା ନକହିଲେ ଭଲ । ବାଲେଶ୍ୱର ଉପ-ନିର୍ବାଚନ ପରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଉପ-ନିର୍ବାଚନ ପରେ ୩୦ରୁ ଉର୍ଦ୍ଧ୍ୱ ହତ୍ୟା ହୋଇଥିବା ବେଳେ ବ୍ରାଉନ ସୁଗାର, ରାହାଜାନୀ, ଛିନ୍ତାଇ ପ୍ରଭୃତି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୋଲିସର ନିଷ୍କ୍ରିୟତା ଏବଂ ରାଜ୍ୟ ସରକାରଙ୍କର ଉଦାସୀନତା ପାଇଁ ବାଲେଶ୍ୱର ଏବେ ଅପରାଧୀଙ୍କ ଚରାଭୂମି ପାଲଟିଛି । ସେହିପରି ରାସ୍ତାଘାଟ, ଡ୍ରେନ ଓ ଆଲୋକୀକରଣରେ ଦୁର୍ନୀତି ସବୁ ସୀମା ଟପିଛି । ସହରର କୌଣସି ଗୋଟିଏ ରାସ୍ତାରେ ସୌନ୍ଦର୍ଯୀକରଣ କାମ ହୋଇଛି କି ବୋଲି ଶ୍ରୀ ଦତ୍ତ ପ୍ରଶ୍ନ କରିଛନ୍ତି । ଆଜି ପର୍ଯ୍ୟନ୍ତ ବି ଘରକୁ ଘର ପାଇପ୍ ଯୋଗେ ପାନୀୟ ଜଳ ସୁବିଧା ପହଞ୍ôଚପାରିଲା ନାହିଁ । ବାଲେଶ୍ୱର ପୌରପାଳିକାରେ ପୂର୍ଣ୍ଣକାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ, ଫାଙ୍କା ପଡ଼ିଥିବା ପଦବୀ ପୁରଣ କେବେ ହେବ? ପଦ୍ମପୁରକୁ ବର୍ଷକରେ ଜିଲା ଘୋଷଣା କରିବ, କିନ୍ତୁ ଦୀର୍ଘ ବର୍ଷ ଧରି ଦାବୀ ହୋଇଆସୁଥିଲେ ମଧ୍ୟ ବାଲେଶ୍ୱରକୁ ମହାନଗର ଘୋଷଣା କାହିଁକି କରୁନ । ତେଣୁ ବିକାଶ କାର୍ଯ୍ୟକୁ ଆମେ ସମ୍ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛୁ, ମାତ୍ର ବିକାଶ ନାମରେ ପ୍ରତାରଣା ନକରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ଦତ୍ତ । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗୌରାଙ୍ଗ ଦାସ, ରୁପସା ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ପଞ୍ଚୁପଡ଼ା ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ପୂର୍ବତନ କାଉନସିଲର ସୁଜିତ ଦେବ ଓ ଉପେନ୍ଦ୍ର ଶତପଥୀ, ପ୍ରବୀର ଶଙ୍କର ଦାଶ, କାଉନସିଲର ନିତ୍ୟଗୋପାଲ ସିଂ, ଭାରତୀ ପାତ୍ର, ସସ୍ମିତା ନାଥ, ପୂର୍ବତନ କାଉନସିଲର ବିବେକ ମହାନ୍ତି, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ବିକାଶ ପାଢୀ, ମାନସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ଚାଟାର୍ଜୀ, ମାୟାଧର ପ୍ରଧାନ, ପବନ କମିଳା ପ୍ରମୁଖ ସହଯୋଗ କରିଥିଲେ ।
