ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ନିଶାଦ ପାର୍ଟି ସହ ବିଜେପିର ମେଣ୍ଟ ନେଇ ଘୋଷଣା
ନୂଆଦିଲ୍ଲୀ : ଆସନ୍ତାବର୍ଷ ଅନୁଷ୍ଠିତ ହେବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ବିଜେପି ପକ୍ଷରୁ ଶୁକ୍ରବାର ଏକ ବଡ଼ ଘୋଷଣା କରାଯାଇଛି । ବିଧାନସଭା ନିର୍ବାଚନରେ ନିଶାଦ ପାର୍ଟି ସହ ବିଜେପିର ମେଣ୍ଟ ନେଇ ଘୋଷଣା ହୋଇଛି ।
ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଅପନା ଦଳ (ଏସ) ମଧ୍ୟ ବିଜେପି ନେତୃତ୍ୱାଧୀନ ମିଳିତ ମଞ୍ଚର ଏକ ଅଂଶ ହେବ। ବର୍ତ୍ତମାନ ଅପନା ଦଳ (ଏସ) ସଭାପତି ଅନୁପ୍ରିୟା ପଟେଲ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ରାଜ୍ୟ ମନ୍ତ୍ରୀ ଅଛନ୍ତି। କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ସେ ବିଜେପିକୁ ସମର୍ଥନ କରୁଥିବା କହି କୃଷକମାନଙ୍କ ଉପରେ ଆତ୍ମବିଶ୍ୱାସ ବଢାଇଛନ୍ତି। ସୂଚନା ଯେ, ନିଶାଦ ପାର୍ଟିର ମୁଖ୍ୟ ସଞ୍ଜୟ ନିଶାଦ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମତ୍ସ୍ୟଜୀବୀ ଅଧିକାର, ପଟ୍ଟା ଆବଣ୍ଟନ ଅଧିକାର ଏବଂ ନିଶାଦ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଭଳି ଆଲୋଚନା କରିବା ପରେ ଏହା ଘଟିଛି। ଯଦିଓ ସମାଜବାଦୀ ପାର୍ଟିର ସମର୍ଥନରେ ୨୦୧୮ ଲୋକସଭା ଉପ-ନିର୍ବାଚନରେ ନିଶାଦ ପାର୍ଟି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁର ଜିତିଥିଲେ, କିନ୍ତୁ ଏହାର ଏକ ବର୍ଷ ପରେ ବିଜେପି ସହ ଏକ ମେଣ୍ଟ ଗଠନ କରିଥିଲା।
