ବାଲେଶ୍ୱର : ବିଜେପି ବୁଢାବଳଙ୍ଗ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ
- ଦଳୀୟ ସଙ୍ଗଠନକୁ ସର୍ବସ୍ପର୍ଶୀ ଓ ସର୍ବବ୍ୟାପୀ କରିବା ଦିଗରେ ନିରନ୍ତର କାର୍ଯ୍ୟ କରିବା : ମାନସ ଦତ୍ତ
ବାଲେଶ୍ୱର : ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଆଁଳ ଠାରେ ବିଜେପି ବୁଢାବଳଙ୍ଗ ମଣ୍ଡଳ ସଭାପତି କାର୍ତ୍ତିକ ଚନ୍ଦ୍ର ରାତଉଙ୍କ ସଭାପତିତ୍ୱରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଉପସ୍ଥିତ ବରିଷ୍ଠ ନେତୃଗଣ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ବନ୍ଦେ ମାତରମ ଗାନ କରିଥିଲେ । ରାଜ୍ୟ ସରକାର ଦୁର୍ନୀତି ଓ ଅନିୟମିତତାରେ ଉବୁଟୁବୁ । ରାଜ୍ୟ ସରକାର ଯୋଜନା ନାମରେ ମିଛ ଡିଣ୍ଡିମ ପିଟୁଥିବା ବେଳେ ସରକାରଙ୍କର ବାସ୍ତବ ଚିତ୍ର ହେଉଛି ଘୋଷଣା ପ୍ରବଳ ଓ ଶାସନ ଦୁର୍ବଳ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ଶ୍ରୀ ମାନସ କୁମାର ଦତ୍ତ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ହାତଖୋଲା ସହାୟତା ଦେବା ସତ୍ତ୍ୱେ ରାଜ୍ୟ ସରକାର ନିଜର ଅପାରଗ ପଣିଆକୁ ଲୁଚାଇବାକୁ ଯାଇ ସର୍ବସାଧାରଣ ସମ୍ମୁଖରେ ମିଥ୍ୟା ସଫଳତା ପ୍ରଚାର କରୁଛି । ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଭାରତ ସରକାର ଦୁଇ ହସ୍ତରେ ଅର୍ଥ ଉଜାଡି ଦେଉଥିବା ବେଳେ ରାଜ୍ୟ ସରକାର ଉକ୍ତ ଅର୍ଥରେ ଦଳୀୟ ପ୍ରଚାର କରିବା, ଏଫ.ଡି.ଆର ଟଙ୍କାକୁ ସଠିକ ଢଙ୍ଗରେ ଖର୍ଚ୍ଚ ନକରିବା ଅତ୍ୟନ୍ତ ନିନ୍ଦନୀୟ । ବାଲେଶ୍ୱରର ହୃତପିଣ୍ଡ କୁହାଯାଉଥିବା ବୁଢାବଳଙ୍ଗ ମଣ୍ଡଳରେ ସାଧାରଣତଃ ଧାନ ଓ ମୀନ ଲୋକଙ୍କ ଆୟର ପନ୍ଥା ମାତ୍ର ନିକଟରେ ୟସ ବାତ୍ୟା ଯୋଗୁଁ ଲୁଣା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଫଳରେ ଲୋକଙ୍କ ଆୟର ପନ୍ଥାକୁ ସଂପୂର୍ଣ୍ଣ ଭାବେ ଉଜାଡି ଦେଇଛି । ଲୁଣା ମାଡିଯିବା ପରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି କ୍ଷତିପୂରଣ ମିଳିନଥିବା ସ୍ଥଳେ ଲୋକଙ୍କ ଆର୍ଥିକ ଉପାର୍ଜନ ଲାଗି ବର୍ତ୍ତମାନର ବିଜେଡି ସରକାର କିଛି ନକରିବା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବା ସ୍ଥଳେ ଆଜି ଗ୍ରାମାଞ୍ଚଳରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଅପରପକ୍ଷରେ ରାଜ୍ୟ ସରକାର କେନ୍ଦ୍ରୀୟ ପାଣ୍ଠି ଓ ଯୋଜନାକୁ ନିଜ ନାମରେ ନାମିତ କରି ଲୋକଙ୍କୁ ବିଭ୍ରାନ୍ତ କରୁଛି । ଓଡିଶା ସରକାର ବର୍ତ୍ତମାନ ଟାଟା ପାୱାରକୁ କୋଳେଇ ସାଧାରଣ ଲୋକଙ୍କୁ ବିନା କାରଣରେ ଫାଇନ, ବିନା ନୋଟିସରେ ବିଜୁଳି କାଟ ସହ ବିଜୁଳି ଦର ବଢାଇବା ନୀତିକୁ ଆଜିର କାର୍ଯ୍ୟକାରିଣୀ ଦୃଢ ସ୍ୱରରେ ନିନ୍ଦା କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପାଇଁ ବଜ୍ର ଶପଥ ନେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସାମାଜିକ, ଆର୍ଥିକ, ଓ ରାଜନୈତିକ କ୍ଷେତ୍ରରେ ବିଶ୍ୱ ପରିଚିତ ହୋଇଛି । ମୋଦି ସରକାରଙ୍କ ଦ୍ୱାରା ପ୍ରେରିତ ଉଜ୍ୱଳା ଯୋଜନାରେ ବଞ୍ଚିତ ରହିଯାଇଥିବା ୧ କୋଟି ଯୋଗ୍ୟ ହିତାଧିକାରୀଙ୍କୁ ପୁର୍ନବାର ମାଗଣା ଗ୍ୟାସ ଦେବା ପାଇଁ ନିଆଯାଇଥିବା ପ୍ରସ୍ତାବକୁ ଆଜିର କାର୍ଯ୍ୟକାରିଣୀରେ ସ୍ୱାଗତ କରାଯାଇଅଛି । କରୋନା ମହାମାରୀକୁ ସଫଳତାର ସହ ମୁକାବିଲା, ଟୀକାକରଣ ଅଭିଯାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ, ଗରିବ କଲ୍ୟାଣ ଯୋଜନା, କୃଷକ କଲ୍ୟାଣ ଯୋଜନା, ଜାତୀୟ ଶିକ୍ଷା ନୀତି ପାଇଁ କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛି । ବୁଢାବଳଙ୍ଗ ମଣ୍ଡଳର ସାତଟି ପଞ୍ଚାୟତ ବଇଁଚା, ସିନ୍ଧିଆ, ଗୋପୀନାଥପୁର, ବୁଆଁଳ, ନଗ୍ରମ, ଓଲନ୍ଦା ସାରଗାଁ ଓ ଓଡଙ୍ଗୀର ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ, ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ଓ ପାର୍ଟିର ସଂଗଠନକୁ ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ କରିବା ଦିଗରେ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ନିରନ୍ତର କାର୍ଯ୍ୟ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଯଶସ୍ୱୀ ହେବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସଦର ନେତା ମାନସ ଦତ୍ତ ଆହ୍ୱାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଶିପ୍ରା ବାଜପେୟୀ, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ସତ୍ୟଜିତ ମିଶ୍ର, ସରପଞ୍ଚ ଶ୍ରୀକାନ୍ତ ମହାପାତ୍ର, ସତ୍ୟଭାମା ରାଉତ, ଅମ୍ବିକା ବେହେରା, ସର୍ବେଶ୍ୱର ମହାନ୍ତି, ବନିତା ଭୂୟାଁ, ଗଣେଶ ଚନ୍ଦ୍ର ପାଢୀ, ସଦାଶିବ ବେହେରା, କରୁଣାକର ମହାଳିକ, ବେଣୁଧର ପରିଡା, ଅନନ୍ତ ମହାପାତ୍ର, ଅନନ୍ତ ନାୟକ, ରବୀନ୍ଦ୍ର ରାଜ, ମାନସ ନାୟକ, ପିତାମ୍ବର ଭୂୟାଁ, ସୁଶାନ୍ତ ମହାପାତ୍ର, ବିରେନ୍ଦ୍ର ସେନାପତି, ମଣ୍ଟୁ ବସନ୍ତିଆ, ଜୟନ୍ତୀ ପଣ୍ଡା, ଭୀମକାନ୍ତ ତରେଇ, ମାୟାଧର ପ୍ରଧାନ, କାଳିଆ ପଣ୍ଡା, ଅଶୋକ ମହାକୁଡ, ବିଜୟ ମହାନ୍ତି, ଜଗା ସେନାପତି, କାହ୍ନୁ ମହାଳିକା, ମୁନା ପୁରୀ, ସହିତ ମଣ୍ଡଳର ପଦାଧିକାରୀ, ମୋର୍ଚ୍ଚା ପଦାଧିକାରୀ ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


