ବିଜେପି କର୍ମୀଙ୍କୁ ମାଡ଼ ଘଟଣା, ୨ ଗିରଫ
ବାରିପଦା : ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ବେଳେ ଗତ ଶୁକ୍ରବାର କଳାପତାକା ଦେଖାଇବାରୁ ବିଜେପି କର୍ମୀଙ୍କୁ ମାଡ଼ ଘଟଣାରେ ବାରିପଦା ଟାଉନ୍ ଥାନାରେ ପୃଥକ୍ ପୃଥକ୍ ୪ଟି ମାମଲା ରୁଜ୍ଜୁ ହୋଇଛି । ଘଟଣାରେ ୨ ଜଣ ବିଜେଡ଼ି କର୍ମୀଙ୍କୁ ଗିରଫ କରିଛି ପୋଲିସ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଭିଡିଓ ଫୁଟେଜ୍କୁ ଆଧାର କରି ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେହି ଭିଡିଓ ଫୁଟେଜ୍ ଆଧାରରେ ଆଗକୁ ଆହୁରି କେତେ ଜଣଙ୍କୁ ଗିରଫ କରାଯିବ। ଅନ୍ୟପକ୍ଷରେ ବିଜେଡି କର୍ମୀଙ୍କ ମାଡ଼ରେ ଜଣେ ବିଜେପି ଓ ଜଣେ ଜେଏମ୍ଏମ୍ କର୍ମୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିବା ବେଳେ ବିଜେପି ୨୦ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛି। ସେହିପରି ଜେଏମ୍ଏମ୍ ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ବିଜେଡି ସମର୍ଥକ ମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହିପରି ଏହି ଘଟଣାରେ ବାରିପଦା ଟାଉନ୍ ଥାନାରେ ମୋଟ ୪ଟି ମାମଲା ରୁଜୁ ହୋଇଛି। ସୂଚନା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତରେ ଯାଇ ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ତା’ ସହିତ ୨୩୦୦କୋଟି ଟଙ୍କାର ୫୦୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ।
