ଯାତ୍ରୀବାହୀ ଟ୍ରେନ୍ ଚଳାଇବା ଆଳରେ ବିଜେଡି ଶସ୍ତା ରାଜନୀତି କରୁଛି-ବିଜେପି
କେନ୍ଦ୍ରାପଡା : ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଇବା ଦାବି କରିବା ସହ ରେଳ ରୋକ କରି ବିଜେଡି ଶସ୍ତା ରାଜନୀତି କରୁଛି । ଜିଲ୍ଲାବାସୀଙ୍କୁ ଭ୍ରମିତ କରିବା ପାଇଁ ଜିଲ୍ଲାର ଅପାରଗ ବିଧାୟକ ଓ ମନ୍ତ୍ରୀମାନେ ପ୍ରକୃତ ସମସ୍ୟାରୁ ଜନ ସାଧାରଣଙ୍କ ଦୃଷ୍ଟି ହଟାଇବା ପାଇଁ ଏଭଳି ବିବୃତି ଦେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛନ୍ତି ବୋଲି ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା ପ୍ରେସ ବିବୃତି ମାଧ୍ୟମରେ ଅଭିଯୋଗ କରିଛନ୍ତି । ୧୯୯୯ ମସିହାରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ପାଜପେୟୀ ହରିଦାସପୁର-ପାରାଦ୍ୱୀପ ରେଳପଥର ଭିତି ପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ଦୀର୍ଘଦିନ ଧରି ଏହି ପ୍ରକଳ୍ପ ସ୍ଥାଣୁ ଅବସ୍ଥାରେ ରହିଥିଲା । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ସରକାର ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନିତ୍ୱ କରିବା ସହ ୨୦୨୦ ମସିହା ସେପ୍ଟେମ୍ବର ୨୩ ତାରିଖରେ ଜିଲ୍ଲାକୁ ପ୍ରଥମ କରି ମାଲବାହୀ ରେଳଗାଡି ଯାତାୟତ ଆରମ୍ଭ କରିଛି । ତେବେ ଯାତ୍ରୀବାହୀ ରେଳ ଚଳାଚଳ କରିବାକୁ ହେଲେ ଟ୍ରାକ୍, ସିଗନାଲ, ଷ୍ଟେସନ, ପ୍ଲାଟଫର୍ମ, ଟିକେଟ ଘର ଓ ଯାତ୍ରୀ ମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ରେଳ ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ପରୀକ୍ଷା ନିରୀକ୍ଷା କରାଯାଇ ଥାଏ । ରେଳ ନିରାପତା କମିଶନର ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ସର୍ବେକ୍ଷଣ କରି ଯାତ୍ରୀବାହୀ ରେଳ ଚଳାଇବାକୁ ଅନୁମତି ଦେଇଥାନ୍ତି । ତେବେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭାଗ ଦାୟିତ୍ୱ ନେବାପରେ ଯାତ୍ରୀବାହୀ ରେଳ ଚଳାଚଳ ସମ୍ବନ୍ଧରେ ସ୍ପଷ୍ଟ ମତ ରଖିଥିବା ବେଳେ ଜିଲ୍ଲାର ବିଜେଡି ନେତାମାନେ ଶସ୍ତା ଲୋକପ୍ରିୟତା ଅର୍ଜନ ଓ ନିଜ ଅସାମର୍ଥ୍ୟ କୁ ଘୋଡାଇବା ପାଇଁ ରେଳ ରୋକ ଭଳି ଆନ୍ଦୋଳନ କରି ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି । ସ୍ୱାଧିନତାର ୭୫ ବର୍ଷ ପରେ ଜିଲ୍ଲାକୁ ମୋ ବସ ଚଳାଇବା, ଅଳାଇଲୋର ପାୱାର ପ୍ଲାଣ୍ଟ, ମିତଲ ଷ୍ଟିଲ ପ୍ଲାଣ୍ଟ, ନଦୀ ଭିତିକ ବନ୍ଦର ସ୍ଥାପନ, କେନ୍ଦ୍ରାପଡାରେ ମେଡିକାଲ କଲେଜ, କେନ୍ଦ୍ରାପଡା କଲେଜକୁ ବିଶ୍ୱ ବିଦ୍ୟାଳୟ କରିବା, ପଟ୍ଟାମୁଣ୍ଡାଇ କେନାଲର ତଳ ମୁଣ୍ଡରେ ପାଣି ପହଁଚିବା ଭଳି ବହୁ ଯୋଜନା ଥିଲେ ମଧ୍ୟ ଜିଲ୍ଲାର ବିଜେପି ନେତାମାନେ ସେଥିରେ ମୁଣ୍ଡ ନପୁରାଇ ରେଳ ରୋକ କରି ନିଜର ଅପାରଗ ପଣିଆକୁ ଲୁଚାଉଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।
