ଭଦ୍ରକରେ ଭୁଶୁଡ଼ିଲା ବିଜେଡି ଗଡ଼, ଜିତିଲେ ସ୍ୱାଧୀନ ପ୍ରାର୍ଥୀ ଗୁଲାମକୀ
ଭଦ୍ରକ : ରାଜ୍ୟର ୧୦୮ ପୌରାଧ୍ୟକ୍ଷ ଆସନରୁ ବିଜେଡି ପ୍ରମୁଖ ଭାବେ ୭୬ ଆସନରେ ବିଜୟୀ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ବିଜେଡି ଗଡ଼କୁ ଭୁଶୁଡ଼ାଇ ଦେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ । ଯେମିତିକି ଭଦ୍ରକ ବିଜେଡି ଗଡ଼ ଥିବା ବେଳେ ଏଠାରେ ଅତି ସହଜରେ ବିଜେଡିର ଗଡ଼କୁ ଭୁଶୁଡ଼ାଇ ଦେଇଛନ୍ତି ସ୍ୱଧୀନପ୍ରାର୍ଥୀ । ଭଦ୍ରକ ପୌରାଞ୍ଚଳର ମୋଟ୍ ୩୦ ୱାର୍ଡରୁ ବିଜେଡି ପ୍ରାର୍ଥୀ ସସ୍ମିତା ମିଶ୍ରଙ୍କୁ ୨୪ ହଜାର ୨୪ ଭୋଟ୍ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଗୁଲାମକୀ ଦଲୱାଜୀଙ୍କୁ ମିଳିଛି ୨୭ ହଜାର ୧୪୩ ଭୋଟ୍ ।
ଗୁଲାମକୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱି ସସ୍ମିତାଙ୍କ ୩୧୧୯ ଭୋଟ୍ ବ୍ୟବଧାନରେ ହରାଇ ଭଦ୍ରକ ଗଡ଼କୁ ନିଜ କବଜାକୁ ନେଇଛନ୍ତି । ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅମିତବାଲା ଆଚାର୍ଯ୍ୟଙ୍କୁ ୧୮୩୬ ଭୋଟ୍, ବିଜେପିରୁ ପ୍ରାର୍ଥୀ ହୋଇଥିବା ଗୀତାଞ୍ଜଳୀ ପଢ଼ିଆରୀଙ୍କୁ ୬୬୩୩ ଭୋଟ୍ ମିଳିଛି । ସ୍ୱାଧୀନ ପ୍ରାର୍ଥୀ ଏତେ ଭୋଟ୍ ବ୍ୟବଧାନରେ; ପୁଣି ବିଜେଡିକୁ ହରାଇ ଥିବାରୁ ବିଜେଡି ପ୍ରାର୍ଥୀ ତଥା ଦଳୀୟ କର୍ମୀମାନେ ଏହା ହୃଦବୋଧ କରିପାରୁନାହାନ୍ତି । ଅପରପକ୍ଷେ ୱାର୍ଡ ୱାରୀ ଦେଖିବାକୁ ଗଲେ ବିଜେଡି ୧୮ ୱାର୍ଡରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୦ଟିରେ, ବିଜେପି ଗୋଟିଏରେ ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏରେ ବିଜୟୀ ହୋଇଛନ୍ତି ।
