ବିରାଟ ପଟୁଆରରେ ଆସି ନାମାଙ୍କନ ଦାଖଲ କଲେ ବିଜେଡ଼ି ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ
ନୀଳଗିରି : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ୪ଗୋଟି ଲୋକସଭା ଆସନ ଓ ୨୮ଗୋଟି ବିଧାନସଭା ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ନୀଳଗିରି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ। ପୂର୍ବାହ୍ନ ପ୍ରାୟ ୮ଘଟିକା ଠାରୁ ଲୋକମାନଙ୍କର ସମାଗମ ଦେଖିବାକୁ ମିଳିଥିଲା। ଦିନ ପ୍ରାୟ ୧୧ଘଟିକା ବେଳକୁ ରଥଦାଣ୍ଡ ଲୋକାରଣ୍ୟ ହୋଇ ରଥଯାତ୍ରାର ଭ୍ରମ ସୃଷ୍ଟି ହୋଇଥିଲା।

ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ ଏବଂ ବାଲେଶ୍ୱର ଲୋକସଭା ପ୍ରାର୍ଥୀନୀ ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥ, ମାତା ସୁଭଦ୍ରା, ପ୍ରଭୁ ବଳରାମଓ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଶିଷ ଭିକ୍ଷା କରି ସୁସଜ୍ଜିତ ଗାଡ଼ିରେ ବସି ପ୍ରାୟ ୩୦ହଜାର ସମର୍ଥକଙ୍କ ସହିତ ନାମାଙ୍କନ ଦାଖଲ କରିବା ପାଇଁ ବାହାରିଥିଲେ। ଏହି ଶୋଭାଯାତ୍ରାରେ ଏତେ ସଂଖ୍ୟକ ଲୋକଙ୍କ ସମାଗମ ହୋଇଥିଲା ଯେ ପୁରା ବଡ଼ଦାଣ୍ଡ ଶଙ୍ଖମୟ ଦେଖାଯାଉଥିଲା। ଶଙ୍ଖ, ଧୁମସା, ମାଦଳ, ଡ୍ରମ ବାଜା,ବ୍ୟାଣ୍ଟପାର୍ଟିର ତାଳେ ତାଳେ ବୁଢ଼ା ଠାରୁ ବୁଢ଼ୀ, ଏପରିକି ଯୁବ ସମର୍ଥକ ନବୀନ ପଟ୍ଟନାୟକ, ସୁକାନ୍ତ ନାୟକ ଏବଂ ଲେଖାଶ୍ରୀ ଙ୍କ ଜୟଧ୍ୱନି ଦେଇ ଆଗାମୀ ନିର୍ବାଚନରେ ଜିତାଇ ଆଣିବାକୁ ନାରା ଦେଇ ନାଚିନାଚି ଯାଉଥିବା ଦେଖିବାକୁ ମିଳିଥିଲା। ଦୁଇ ତିନି ଘଣ୍ଟା ପାଇଁ ରଥଦାଣ୍ଡ ଜାମ ହୋଇ ପଡିଥିବା ବେଳେ ନୀଳଗିରିର ୪ପ୍ରବେଶ ପଥ ମଧ୍ୟ ଜାମ ହୋଇ ପଡିଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ଶୋଭାଯାତ୍ରା ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ବିଧାୟକ ପ୍ରାର୍ଥୀ ସୁକାନ୍ତଙ୍କ ସହିତ ନୀଳଗିରି ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ, ୧୧ନଂ ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ବରିଷ୍ଠ ଆଇନଜୀବି ଅମରେନ୍ଦ୍ର ପଟ୍ଟନାୟକଙ୍କ ସହିତ ବିଜେଡ଼ି ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ଠାରେ ୨ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଆଜିର ଏହି ସମାବେଶ ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଏକ ବିରାଟ ବିଜୟ ସମ୍ଭାବନା ଆଡ଼କୁ ଆଗେଇ ନେଇଥିବା ସମର୍ଥକ କହିଛନ୍ତି। ଏହି ନାମାଙ୍କନ ଦାଖଲ ସମାବେଶରେ ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ଜିଲ୍ଲା ଯୁବବିଜେଡ଼ି ସଭାପତି ତାପସ ପରିଡା, ସିନେ ଅଭିନେତ୍ରୀ ଜିନା ସାମଲ, ବ୍ଲକ୍ ସଭାପତି ବିଜୟ ଲେଙ୍କା, ରାଜ୍ୟ ଯୁବ ସମ୍ପାଦକ ତାପସ ପାଣିଗ୍ରାହୀ, ୧୧ନଂ ଜିଲ୍ଲାପରିଷଦ ସଭ୍ୟା ସୁବର୍ଣ୍ଣମଞ୍ଜରୀ ସିଂ, ୧୮ନଂ ଜିଲ୍ଲାପରିଷଦ ସଭ୍ୟ ନୀଳାମ୍ବର ମହାଳିକ, ବାହାନଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ ରାଜ, ବରିଷ୍ଠ ବିଜେଡି ନେତା ଗଙ୍ଗାଧର ମିଶ୍ର, ଏସସି ସେଲ୍ ଅଧ୍ୟକ୍ଷ ଶରତ ଦାସ,ନଗରସଭାପତି ରବୀନ୍ଦ୍ର ପରିଡା, ପୂର୍ବତନ ନଗରପାଳ ରାଧାଗୋବିନ୍ଦ ଖଟୁଆ, ସମିତିସଭ୍ୟ ରାଜୀବ ଦାସବାବୁ, ଆରବନ୍ଧ ସରପଞ୍ଚ କୁଳମଣୀ ନାୟକ, ବିଧାୟକ ପ୍ରତିନିଧି ଉପେନ୍ଦ୍ର ଦାସ, ବିନୋଦ ମହାନ୍ତି, ରାମକୃଷ୍ଣ ମହାପାତ୍ର, ଯୁବନେତା ଉପେନ୍ଦ୍ର ନାୟକ ପ୍ରମୁଖ ସାମିଲ ଥିଲେ।
