ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ, ଜନ୍ମମାଟିରେ ସମ୍ପନ୍ନ ହେଲା ଶେଷକୃତ୍ୟ
ଭଦ୍ରକ : ପଞ୍ଚଭୂତରେ ବିଲୀନ ହେଲେ ବିଷ୍ଣୁ ସେଠୀ । ଭଦ୍ରକ ତିହିଡି ସ୍ଥିତ ମଙ୍ଗରାଜପୁର ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ମା’ବାପାଙ୍କ ସମାଧି ପାଖରେ ଶେଷକୃତ୍ୟ କରାଯାଇଛି । ପୁଅ ସୂର୍ଯ୍ୟବଂଶୀ ସୁରଜ ମୁଖାଗ୍ନି ଦେଇଥିଲେ । ବିଷ୍ଣୁଙ୍କୁ ଶେଷ ଦର୍ଶନ କରିବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ । ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।
ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିରୋଧୀ ଦଳର ଉପନେତା ଭାବେ ଦାୟିତ୍ୱ ନେଇଥିଲେ ବିଷ୍ଣୁ ସେଠୀ । ବିଜେପିର ଜଣେ ଟାଣୁଆ ନେତା ତଥା ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ସେ ବେଶ ପରିଚିତ ଥିଲେ । ହସ୍ପିଟାଲରୁ ତାଙ୍କ ମରଶରୀର ବାହାରିବା ପରେ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ଅନେକ ବିଧାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ବାହାରିବା ପରେ ବିଷ୍ଣୁ ସେଠୀଙ୍କ ମରଶରୀରକୁ ବିଜେପି ପାର୍ଟି ଅଫିସ୍ ନିଆଯାଇଥିଲା । ସେଠାରେ ଦଳର କର୍ମକର୍ତା ଓ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସୂଚନା ଯେ, ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଗତ ସୋମବାର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା । ଏମ୍ସରୁ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା । ସେଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣା ଯାଇଥିବା ମରଶରୀର । ଏହାପରେ ଭୁବନେଶ୍ୱରରୁ ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଭଦ୍ରକ ନିଆଯାଇଥିଲା । ଧାମନଗର ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରା ବେଳେ ବହୁ କର୍ମୀ, ରାଜ ନେତା ଓ ସମର୍ଥକ ତାଙ୍କ ଶେଷ ଦର୍ଶନ କରିଥିଲେ । ପରେ ଜିଲା ବିଜେପି କାର୍ଯ୍ୟାଳୟ ଓ ଭଦ୍ରକ ସ୍ଥିତ ବାସଭବନକୁ ପାର୍ଥୀବ ଶରୀର ଅଣାଯାଇଥିଲା ।
