୧୬ରେ ଓଡ଼ିଶା ଆସିବ ବିଜୁବାବୁଙ୍କ ‘ଡକୋଟା’ ବିମାନ, ଭୁବନେଶ୍ୱର ବିମାନବନ୍ଦର ଆଗରେ ରଖାଯିବ
ଭୁବନେଶ୍ୱର: ପ୍ରତୀକ୍ଷାର ଅନ୍ତ । ଶେଷରେ ଓଡ଼ିଶା ଆସିବ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ‘ଡକୋଟା’ ବିମାନ ।ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜୁବାବୁ ଉଡାଇଥିବା ଐତିହାସିକ ଡାକୋଟା ବିମାନ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଆସିବ। ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଉଛି । ବିମାନକୁ ଭୁବନେଶ୍ୱର ବିମାନବନ୍ଦର ଆଗରେ ରଖାଯିବ ।
ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ‘ଡକୋଟା’ ଦୀର୍ଘଦିନର ପ୍ରୟାସ ପରେ ଚଳିତମାସ ୧୬ତାରିଖରେ ଭୁବନେଶ୍ୱର ଆସିବ । ଏହି ବିମାନର ବିଭିନ୍ନ ଅଂଶକୁ ଭାଗଭାଗ କରି ସଡ଼କ ମାର୍ଗରେ ଭୁବନେଶ୍ୱର ଅଣାଯାଉଛି ଓ ପରେ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସମ୍ପୂର୍ଣ୍ଣ ଆସେମ୍ଲିଂ କରି ରଖାଯିବ ବୋଲି ଜଣାପଡ଼ିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରବେଶ ପଥରେ ସୁଦୃଶ୍ୟ ମଞ୍ଚ ଉପରେ ଡାକୋଟା ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ।ହକି ବିଶ୍ୱକପ୍ ସମୟରେ ଦେଶ ବିଦେଶରୁ ଆସିଥିବା ଖେଳାଳୀ, ଅଫିସିଆଲ ଏବଂ ଦର୍ଶକ ଏହି ଗୌରବମୟ ଅଧ୍ୟାୟକୁ ନିକଟରୁ ଦେଖିବାର ସୁଯୋଗ ପାଇବେ।
କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଜୁ ବାବୁଙ୍କ ଡାକୋଟା ବିମାନ ରହିଥିଲା । ଏହାକୁ ଓଡ଼ିଶା ଫେରାଇ ଆଣିବା ପାଇଁ ବର୍ଷେ ହେଲା ରାଜ୍ୟ ସରକାର ଉଦ୍ୟମ ଚଳାଇଥିଲେ । ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏବେ କୋଲକାତା ବିମାନବନ୍ଦରରେ ଡାକୋଟା ବିମାନର ଡେଣାକୁ ଅଲଗା କରିବା (ଡିଏସ୍ମେଣ୍ଟଲିଂ) କାମ ଚାଲିଛି । ଦିନେ ଦୁଇ ଦିନ ଭିତରେ ଏହା ସଡ଼କ ପଥରେ ଭୁବନେଶ୍ୱର ଅଭିମୁଖେ ସ୍ୱତନ୍ତ୍ର ଟ୍ରେଲର୍ ଜରିଆରେ ଆସିବ । ଏହି ବିମାନର ଲମ୍ବ ୬୪ ଫୁଟ୍ ଥିବା ବେଳେ ଏହାର ଡେଣାର ଲମ୍ବ ୯୫ ଫୁଟ୍ ରହିଛି । ବିମାନକୁ ରଖିବା ଲାଗି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରବେଶ ପଥରେ ୧.୧ ଏକର ଜମି ସାଧାରଣ ପ୍ରଶାସନ ବିଭାଗ ଚିହ୍ନଟ କରିଛି । ଟର୍ମିନାଲ-୧ ସମ୍ମୁଖରେ ଏହାକୁ ରଖାଯିବ ।
ଭୁବନେଶ୍ୱରରେ ପହଞ୍ଚିବା ପରେ ବିଶେଷଜ୍ଞଙ୍କ ଜରିଆରେ ଏହାର ଡେଣାକୁ ଯୋଡ଼ାଯାଇ ପୂର୍ବ ରୂପ ଦିଆଯିବ । ଏଥିସହ ଏଥିରେ ରଙ୍ଗ କରାଯିବ । ଆନୁସଙ୍ଗିକ କାର୍ଯ୍ୟ ପରେ ବିମାନ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ ପଶ୍ଚିମ ବଙ୍ଗ କର୍ତ୍ତୃପକ୍ଷ ଆମକୁ ଅବଗତ କରିବେ । ବିମାନ ଯେପରି ବିନା ଦ୍ୱିଧାରେ ସଡ଼କ ପଥରେ ଆସି ଭୁବନେଶ୍ୱରରେ ପହଞ୍ଚିବ ସେଥିପାଇଁ ପରିବହନ ବିଭାଗ ପଦକ୍ଷେପ ନେଉଛି । ଟ୍ରାଫିକ୍ ପରିଚାଳନା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ମଧ୍ୟ ଏଥିରେ ସହଯୋଗ କରିବେ ବୋଲି ଅଧିକାରୀ ଜଣକ କହିଛନ୍ତି ।
