ଆଧୁନିକ ଓଡ଼ିଶାର ନବ ନିର୍ମାତା ବିଜୁବାବୁ, ୧୦୬ତମ ଜୟନ୍ତୀ ପାଳୁଛି ରାଜ୍ୟ
ଆଧୁନିକ ଓଡ଼ିଶାର ନବ ନିର୍ମାତା ବିଜୁବାବୁ ଥିଲେ ଓଡ଼ିଆ ଜାତିର ଅସ୍ମିତା। ଯାହାଙ୍କ ପାଇଁ ସମଗ୍ର ବିଶ୍ୱରେ ଓଡ଼ିଆ ଜାତି ତାର ନିଜସ୍ବକୁ ପ୍ରତିପାଦିତ କରିଥିଲା । ସେହି ବିଜୁବାବୁ ଏକାଧାରରେ ଥିଲେ ଜଣେ ଓଡ଼ିଆ ରାଜନୈତିକ ନେତା, ବୈମାନିକ ଓ ବିଶିଷ୍ଟ ଶିଳ୍ପପତି । ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆଜି ୧୦୬ତମ ଜୟନ୍ତୀ । ସାରା ରାଜ୍ୟରେ ପାଳନ କରାଯାଉଛି ବିଜୁ ଜୟନ୍ତୀ । ଏହି ଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ବିଜୁ ଜୟନ୍ତୀ ଅବସରରେ ରାଜ୍ୟରେ ନିର୍ବାଚନମଣ୍ଡଳୀ ସ୍ତରରେ ସାଧାରଣ ସଭାମାନ ଆୟୋଜିତ ହେଉଛି । ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ସଶକ୍ତ, ସମୃଦ୍ଧ ଓଡିଶା ଗଠନରେ ତାଙ୍କର ଜୀବନବ୍ୟାପୀ ପ୍ରୟାସ ଉପରେ ଆଲୋକପାତ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରାଡମ୍ବର ଭାବେ ବିଜୁ ଜୟନ୍ତୀ ପାଳିବାକୁ ସବୁ ବିଜେଡି ବିଧାୟକଙ୍କୁ ଆହ୍ୱାନ ଦେଇଛନ୍ତି ।
ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କଠାରୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ତୃତୀୟ ସନ୍ତାନ ଭାବେ ଜନ୍ମ ନେଇଥିଲେ । ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢିଥିଲେ । ପାଠପଢ଼ା ଜୀବନରେ ସେ ଖେଳପ୍ରତି ଭାରି ଇଚ୍ଛୁକ ଥିଲେ ଓ ବିଶ୍ୱବିଦ୍ୟାଳୟ ଫୁଟବଲ ଓ ଦଳର କ୍ୟାପଟେନ ରହିଆସିଥିଲେ । ତାହା ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡାଣ ଶିକ୍ଷାରେ ଯୋଗଦେଇଥିଲେ ।
ବିଜୁ ପଟ୍ଟନାୟକ ଜ୍ଞାନ ପଟ୍ଟନାୟକଙ୍କୁ ୧୯୩୮ ମସିହାରେ ବିବାହ କରିଥିଲେ । ତାଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ । ତାଙ୍କ ଝିଅ ଗୀତା ମେହେଟା ଜଣେ ଲେଖିକା। ତାଙ୍କର ବଡ଼ପୁଅ ପ୍ରେମ ପଟ୍ଟନାୟକ ଦିଲ୍ଲୀରେ ଜଣେ ବ୍ୟବସାୟୀ ଭାବରେଅବସ୍ଥାପିତ।
ବିମାନ ଚାଳକ ଭାବେ ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ସେ ଇଣ୍ଡିଆନ ଏୟାରୱେଜରେ ପାଇଲଟ ଭାବରେ ଚାକିରି କରିଥିଲେ । ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିଙ୍କୁ ଡଚ ମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣ ଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ।ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ୨୦-୨୪ ଫେବୃୟାରୀ ୨୦୧୯ ମସିହାରେ ଅନୁଷ୍ଟିତ ଏୟାର ଶୋ’ରେ ପ୍ରଦର୍ଶିତ ହୋଇଥିଲା ।
ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତି ପଦ ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭକରିଥିଲା । ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ଯାଏଁ ପଦବୀରେ ରହିଥିଲେ । କଂଗ୍ରେସ ପାର୍ଟିକୁ ପୁଣି ସତେଜ କରିବାପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ବିଜୁ ବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ ରେ ହୋଇଥିବା ରାଜ୍ୟସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ ନପାଇବାରୁ ସେ କଂଗ୍ରେସ ପାର୍ଟି ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂତନ ଦଳ କରିଥିଲେ।
୧୯୭୧ ବିଧାନସଭା ମତଦାନରେ ତାଙ୍କ ପାର୍ଟି ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା।ବିଜୁବାବୁ ତା ପରେ ତାଙ୍କ ପୁରୁଣାସାଙ୍ଗ ଜୟପ୍ରକାଶ ନାରାୟଣ ଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ରେ ଜେ.ପି ମୁଭମେଣ୍ଟରେ ଯୋଗ ଦେଇଥିଲେ । ୧୯୭୫ରେ ଯେତେବେଳେ ଜରୁରି କାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତା ମାନଙ୍କ ସହ ଗିରଫ ହୋଇଥିଲେ । ୧୯୭୭ରେ ସେ ମୁକୁଳିଳେ ଓ ଲୋକସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରପଡ଼ାରୁ ନିର୍ବାଚିତ ହେଲେ। ୧୯୭୯ ବେଳେ ସେ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣି ମନ୍ତ୍ରୀ ରହିଥିଲେ । ୧୯୮୦ରେ ବିଜୁ ବାବୁ ଲୋକ ସଭାକୁ ନିର୍ବାଚିତ ହେଲେ ଏବଂ ପୁଣିଥରେ ୧୯୯୬ରେ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥଲେ ।
ବିଜୁ ବାବୁଙ୍କ ରାଜନୈତିକ ଦୃଷ୍ଟିକୋଣ ମୁଖ୍ୟତଃ ସମାଜବାଦ ଏବଂ ସଂଘିୟ ରାଷ୍ଟ୍ର ଶାସନ ଉପରେ ଦୃଢ଼ୀଭୁତ ଥିଲା । ସେ ଦୃଢ଼ ଭାବରେ ସବୁ ରାଜ୍ୟ ପାଇଁ ଓକିଲତି କରୁଥିଲେ ଏବଂ କହୁଥିଲେ ସବୁ ରାଜ୍ୟମାନଙ୍କୁ ଦରକାର ଅନୁସାରେ ସମାନ ସାଧନ ଦିଆଯିବା ଉଚିତ। ନେହେରୁ ତାଙ୍କୁ ସ୍ନେହରେ ଭାରତର ଦୁସାହସିକ ବ୍ୟକ୍ତିବୋଲି କହିଥିଲେ । ସଂସଦରେ ତାଙ୍କ ସମୟରେ ନେହେରୁ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ କହିଥିଲେ ” ବିଜୁ ପଟ୍ଟନାୟକଙ୍କ ପାଖରେ ସାହସ, ଶକ୍ତି ଓ କାମ କରିବାର ଆଗ୍ରହ ଅଛି । ତେଣୁ ଓଡ଼ିଶାକୁ ଅଧିକ ସାହାଯ୍ୟ କରିବାରେ କୌଣସି ପ୍ରମାଦ ନାହିଁ ।”
ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ୟୁନେସ୍କୋଦ୍ୱାରା କଳିଙ୍ଗ ପୁରସ୍କାର ଭାବେ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରକୁ ଅନ୍ତର୍ଜାତୀୟ ବୈଜ୍ଞାନିକ ଗୋଷ୍ଠୀ ଏକ ସମ୍ମାନ ଜନକ ପୁରସ୍କାର ଭାବେ ଗ୍ରହଣ କରେ ।
