ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ : ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ଏହି ଅବସରରେ ବିଜୁବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପାଳିତ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡା, ପ୍ରସନ୍ନ ପାଟଶାଣୀଙ୍କ ସମେତ ବହୁ ବିଧାୟକ ଯୋଗ ଦେଇଥିଲେ।
ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଜୁବାବୁ ଆଙ୍କିଥିଲେ ବିକାଶର ବିସ୍ତୃତ ନକ୍ସା। ତାଙ୍କର ପ୍ରତିଟି କାମ ଥିଲା ଓଡ଼ିଆ ଜାତିର ସ୍ୱାଭିମାନ ଓ ଗୌରବ ପାଇଁ। ତାଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ଏବେ ଅନେକ କ୍ଷେତ୍ରରେ ଅଗ୍ରଣୀ ହୋଇଛି। ସେହି ବିକାଶ ପୁରୁଷଙ୍କ ଜୟନ୍ତୀରେ ତାଙ୍କ ଅବଦାନକୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଉଛି। pic.twitter.com/2QG4cXZeRO
— Naveen Patnaik (@Naveen_Odisha) March 5, 2022
ସେହିପରି ଫରେଷ୍ଟ ପାର୍କ ପରିସରରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୋଜନା ବୋର୍ଡ ଉପାଧ୍ୟାକ୍ଷ ସଂଜୟ ଦାସ ବର୍ମା, ମନ୍ତ୍ରୀ ଅଶୋକ ପଣ୍ଡା, ବରିଷ୍ଠ ବିଧାୟକ ଦେବୀ ମିଶ୍ର ଓ ଅରୂପ ପଟ୍ଟନାୟକ ପ୍ରମୁଖ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହି ଅବସରରେ ସଞ୍ଜୟ ଦାସ ବର୍ମା ଉଦବୋଧନ ଦେଇ କହିଛନ୍ତି, ବିଜୁ ବାବୁ କଳିଙ୍ଗ ଖାରବେଳ କଥା କହୁଥିଲେ। ଦଶନ୍ଧି ଦଶନ୍ଧି ଧରି ଓଡ଼ିଆଙ୍କ ପାଇଁ ଲଢୁଥିଲେ। ତାଙ୍କର ନୀତି ଓ କାର୍ଯ୍ୟ ଯଦି ଉତ୍ତର ପୀଢି କାମରେ ଲଗାଇବ ତାହେଲେ, ତାହା ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଆଜିର ଯୁବପୀଢ଼ି ବିଜୁ ବାବୁଙ୍କ ଆଦର୍ଶ ଓ ବିଚାରରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ସହ ବିଜୁ ବାବୁଙ୍କ ଜୀବନ ଶୈଳୀକୁ ଅନୁସରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
