ସାନଭାଇର ବୋମାମାଡରେ ବଡଭାଇର ମୃତ : ୨ ଗିରଫ, ୪ ଅଫୁଟା ବୋମା ଜବତ
ନୟାଗଡ଼ : ନୟାଗଡ଼ ଜିଲା ଓଡଗାଁ ଥାନା ଅଞ୍ଚଳରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଅଘଟଣ। ସାନଭାଇର ବୋମାମାଡରେ ବଡଭାଇ ମୃତ । ମୃତକ ଜଣକ ହେଲେ ପ୍ରଦୀପ ନାୟକ । ସାନଭାଇ ଦିଲ୍ଲୀପ ଏବଂ ତାର ଜଣେ ସହଯୋଗୀ ମନୋଜ ମହାରଣାକୁ ଗିରଫ କରିବା ସହ ୪ଟି ଅଫୁଟା ବୋମା ଜବତ କରିଛି ପୋଲିସ ।
ଗତ ଶୁକ୍ରବାର ରାତିରେ ଓଡଗାଁ ଥାନା ବାହାଡ଼ାଝୋଲା ଟ୍ରାଫିକ୍ ପୋଷ୍ଟ ନିକଟରେ ଦିଲ୍ଲୀପ ଦୁଇଟି ବୋମା ପ୍ରଦୀପ ଉପରକୁ ଫିଙ୍ଗିଦେଇ ପଳାଇଯାଇଥିଲା । ପୋଲିସ ପ୍ରଦୀପକୁ ଉଦ୍ଧାର କରି ପ୍ରଥମେ ଓଡଗାଁ ଏବଂ ପରେ ନୟାଗଡ ଡାକ୍ତରଖାନାକୁ ପଠାଇଥିଲା । ଅବସ୍ଥା ଗୁରୁତର ହେବାରୁ ପ୍ରଦୀପକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ତେବେ ଶନିବାର ରାତିରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଦିଲ୍ଲୀପକୁ ଗିରଫ କରିବା ସହ ବୋମା ପ୍ରସ୍ତୁତକାରୀ ମନୋଜ ମହାରଣାକୁ ଗିରଫ କରିଛି । ସେହିପରି ମନୋଜ ଠାରୁ ଚାରୋଟି ଅଫୁଟା ବୋମା ଏବଂ ଗୋଟିଏ ବାଇକ୍ ଜବତ କରିଛି ପୋଲିସ। ମନୋଜ ବାରହା ଶିକାର ପାଇଁ ବୋମା ତିଆରି କରି ରଖିଥିବା ପୋଲିସ ସୂଚନା ଦେଇଛି । ସୂଚନା ଯେ, ଦିଲ୍ଲୀପ କିଛି କାମ ନକରି ମାଙ୍କୁ ମାଡପିଟ କରି ଟଙ୍କା ନେଉଥିବାରୁ ଭୁବନେଶ୍ୱରରେ ରହୁଥିବା ପ୍ରଦୀପ ଗାଁକୁ ଆସି ତାକୁ ତାଗିଦ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦିଲ୍ଲୀପ ଏଭଳି କାଣ୍ଡ କରିଥିବା ଜଣାପଡିଛି ।
