ଚଳିତ ବର୍ଷ ମଧ୍ୟ ଫିକା ପଡିବ ଭୁବନର ଐତିହାସିକ ବଳଦ ଯାତ୍ରା
ଢେଙ୍କାନାଳ : ଚଳିତ ବର୍ଷ ମଧ୍ୟ ଫିକା ପଡିବ ଢେଙ୍କାନାଳ ଜିଲା ଭୁବନର ଐତିହାସିକ ବଳଦ ଯାତ୍ରା । ମହାମାରୀ କରୋନା ଯୋଗୁଁ କେବଳ ପରମ୍ପରା ରକ୍ଷା ନିମନ୍ତେ ୫୦ ବଳଦ ପରିବର୍ତ୍ତେ ମାତ୍ର ୨ଟି ବଳଦକୁ କଟକଣା ସହିତ ଯାତ୍ରାକୁ ଶାନ୍ତିକମିଟିର ପ୍ରସ୍ତାବକୁ ପ୍ରଶାସନ ଗ୍ରହଣ କରିଛି। ପ୍ରତ୍ୟେକ ବର୍ଷ ୨ ମାସ ପୂର୍ବରୁ ସମସ୍ତ ପ୍ରକାର ନିତି ନିୟମ ସହିତ ଶୁଭଖୁଣ୍ଟି ସ୍ଥାପନା କରାଯାଇ ସେହି ଦିନଠାରୁ ବଳଦକୁ ଗ୍ରାମରେ ଚଲାଇବା ଅଭ୍ୟାସ କରାଯାଇଥାଏ । କିନ୍ତୁ ଦୁଇ ବର୍ଷ ହେବ କରୋନା ପାଇଁ ସେ ସବୁ ଆଉ ଦେଖିବାକୁ ମିଳୁନାହିଁ । ସାହି ସାହିରେ ଆଉ ଦେଖିବାକୁ ମିଳୁନାହିଁ ଶୁଭଖୁଣ୍ଟି । ପାଖାପାଖି ୫୦ ଗୋଟି ବଳଦ ଯାତ୍ରାରେ ସାମିଲ ହେଉଥିବା ବେଳେ ଚଳିତ ବର୍ଷ କେବଳ ପରମ୍ପରା ରକ୍ଷା ପାଇଁ ୨ଟି ବଳଦକୁ କଟକଣା ସହିତ ବଦଳଯାତ୍ରା କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।
ପ୍ରତ୍ୟେକ ବର୍ଷ ବିଜୟା ଦଶମୀ ଏବଂ ଏକାଦଶୀରେ ଭୁବନରେ ୨ ଦିନ ଧରି ବଳଦ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କେବଳ ବିଜୟା ଦଶମୀ ଦିନ କରୋନା କଟକଣାର ସମସ୍ତ ନିୟମ ପାଳନ କରିବା ସହିତ କେବଳ ଥୋରିଆ ସମାଜ ଏବଂ ବଣିଆ ସମାଜ ପକ୍ଷରୁ ପରମ୍ପରାକୁ ରକ୍ଷା କରି ନିଡାମ୍ବରରେ ବଳଦକୁ ବନ୍ଦାପନା କରି ପ୍ରଥମେ ମଦନମୋହନ ପରେ ଜଗନ୍ନାଥ ମନ୍ଦିରକୁ ଯାଇ ସେଠାରେ ପୂଜା କରିବା ପରେ ଅନୁକୂଳ ଯାତ୍ରା ଆରମ୍ଭ ହୋଇ ବଡହାଟ ଯାତ୍ରା ଶେଷ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଏକାଦଶୀ ଦିନ ହେଉଥିବା ମା’ଙ୍କର ବିସର୍ଜନ ଏକ ଅସ୍ଥାୟୀ ପୋଖରୀରେ କରାଯିବ। ସେହିପରି ରାବଣ ପୋଡି ଉତ୍ସବକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ବିଭିନ୍ନ ମଣ୍ଡପ ରେ ପୂଜା ପାଉଥିବା ମୂର୍ତ୍ତି ନିଜ ନିଜ ସୁବିଧାରେ ବିସର୍ଜନ କରିବାକୁ ନିଷ୍ପତ୍ତି ହୋଇଛି। ବଳଦ ଯାତ୍ରା ଶାନ୍ତିକମିଟି, ବଳଦିଆ, ପୂଜା କମିଟି ଏବଂ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଭୁବନ ଏନଏସି ସଭାଗୃହରେ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ ୧୧ଟି କରୋନା କଟକଣାକୁ ଶାନ୍ତିକମିଟି ଗ୍ରହଣ କରିବା ସହିତ ପ୍ରଶାସନକୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
