ସ୍ତ୍ରୀକୁ ପିଟି ହତ୍ୟା ପରେ ସ୍ୱାମୀ ଫେରାର, ପୋଲିସ ତଦନ୍ତ ଜାରି
ହିନ୍ଦୋଳ : ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଦୁଦୁରକୋଟ ପଞ୍ଚାୟତର ବାଘୁଆ ସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ସ୍ୱାମୀ ଫେରାର। ମୃତ ମହିଳା ହେଲେ ମିନତୀ । ଏହି ଘଟଣାକୁ ନେଇ ମିନତୀଙ୍କ ପରିବାର ବାଲିମୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାର ଖବର ପାଇ ବାଲିମୀ ପୋଲିସ ପ୍ରତାପଙ୍କୁ ଖୋଜାଖୋଜି କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।
ସୂଚନା ଯେ, ବାହାଘରର ୧୭ ବର୍ଷ ବିତିଯାଇଥିଲେ ମଧ୍ୟ ନିଜର ସ୍ତ୍ରୀ ଉପରେ ପାରିବାରିକ ନିର୍ଯାତନା ଦେଇ ଆସୁଥିଲେ ସ୍ୱାମୀ ପ୍ରତାପ ଓ ତାଙ୍କ ଶାବତ ମା’ । ଏନେଇ ବାରମ୍ବାର ପରିବାର ମଧ୍ୟରେ ଗଣ୍ଡଗୋଳ ହେଉଥିଲେ ମଧ୍ୟ ଥାନାରେ ତାହା ସମାଧାନ ହେଇଯାଉଥିଲା। କିନ୍ତୁ ଗତ ଶୁକ୍ରବାର ରାତିରେ ପ୍ରତାପ ନିଶାସକ୍ତ ଅବସ୍ଥାରେ ଆସି ନିଜର ସ୍ତ୍ରୀକୁ ବହୁତ ନିର୍ଯାତନା ଦେବା ସହ ଏକ ରଡ଼ରେ ପିଟି ଥିବାରୁ ମିନତୀଙ୍କ ମୁଣ୍ଡ ଫାଟି ଯିବା ଫଳରେ ସ୍ବାମୀ ପ୍ରତାପ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ତାଙ୍କର ଦୁଇ ପୁଅ ଆମ୍ବୁଲାନ୍ସ ସାହାଯ୍ୟରେ ହିନ୍ଦୋଳ ମେଡିକାଲକୁ ଆଣିଥିଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।
