ବାହାନଗା ଟ୍ରେନ୍ ଟ୍ରାଜେଡି, ୩ ଜଣଙ୍କୁ ଗିରଫ କଲା ସିବିଆଇ
ବାଲେଶ୍ବର : ବାଲେଶ୍ବର ଜିଲା ବାହାନଗା ଟ୍ରେନ୍ ଟ୍ରାଜେଡି । ୩ ଜଣଙ୍କୁ ଗିରଫ କଲା ସିବିଆଇ । ଦୁଇ ଜଣ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ସିଆରପିସି ୩୦୪ ଓ ୨୦୧ ଧାରାରେ ସିବିଆଇ ଗିରଫ କରିଛି ।
ସିଗନାଲ ବ୍ୟବସ୍ଥାରେ ତ୍ରୁଟି ଏବଂ ଷ୍ଟେସନ ମାଷ୍ଟରଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା ସିଆରଏସ ତଦନ୍ତ ରିପୋର୍ଟରୁ ଜଣାପଡିଥିଲା । ସିଗ୍ନାଲ ତ୍ରୁଟିରୁ ଘଟିଥିଲା ବାହାନଗା ଟ୍ରେନ୍ ଟ୍ରାଜେଡି । ରେଲଓ୍ବେ ସେଫ୍ଟି କମିଶନଙ୍କ ତଦନ୍ତ ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ଦାୟୀ କରାଯାଇଥିଲା । ରିପୋର୍ଟର ତଥ୍ୟ ଅନୁଯାୟୀ, ଘଟଣା ଦିନ ସିଗନାଲରେ ବାରମ୍ବାର ଅସ୍ବାଭାବିକତା ପରିଲକ୍ଷିତ ହୋଇଥିଲା । ଷ୍ଟେସନ ମାଷ୍ଟର ଚାହିଁଥିଲେ ଦୁର୍ଘଟଣାକୁ ଏଡ଼ାଇ ଦେଇ ପାରିଥାନ୍ତେ । ଦୁର୍ଘଟଣା ପୂର୍ବରୁ ସିଗନାଲର ଅସ୍ବାଭାବିକତା ଦେଖି ମଧ୍ୟ ଏହାକୁ ଅଣଦେଖା କରିଥିଲେ ଷ୍ଟେସନମାଷ୍ଟର । ସାଧାରଣତଃ ଇଣ୍ଟଲକିଂ ସିଷ୍ଟମରେ ସୁଇଚ ଅନ୍ କରିବା ପରେ ସିଗନାଲର ଷ୍ଟାଟସରେ ପରିବର୍ତ୍ତନ ପାଇଁ ୧୩ରୁ ୧୪ ସେକେଣ୍ଡ ଲାଗିଥାଏ ।
ତେବେ ଘଟଣା ଦିନ ୪ଟା ୨୨ମିନିଟରେ ଯେତେବେଳେ କ୍ରସ ଓଭରକୁ ରିଭର୍ସରୁ ନର୍ମାଲକୁ ଅଣାଯାଇଥିଲା ତାହା ଅସ୍ବାଭାବିକ ଭାବେ ୩୭ ସେକେଣ୍ଡ ସମୟ ନେଇଥିଲା । କିନ୍ତୁ ୬ଟା ୩୪ରେ ପୁଣି ରିଭର୍ସରୁ ନର୍ମାଲ ପାଇଁ ଇଣ୍ଡିଭିଜୁଆଲ କମାଣ୍ଡ ଦିଆଯିବା ବେଳେ ତାହା ତତକ୍ଷଣାତ୍ ସିଗନାଲ ବଦଳାଇଥିଲା। ଯାହାକି ସବୁଠୁ ବଡ଼ ଅସ୍ବାଭାବିକ ଥିଲା । ଏସବୁ ସତ୍ବେ ସିଗନାଲରେ ବାରମ୍ବାର ଏଭଳି ତ୍ରୁଟି ଉପରେ ଗୁରୁତ୍ବ ଦେଇନଥିଲେ ଷ୍ଟେସନମାଷ୍ଟର । ଯଦି ଏହିଭଳି ତ୍ରୁଟିକୁ ଗୁରୁତର ସହ ନେଇ ସିଗନାଲ ଷ୍ଟାଫଙ୍କୁ ଜଣାଇଥାନ୍ତେ, ତାହେଲେ ୬ଟା ୫୨ରେ କରମଣ୍ଡଳ ଏକ୍ସପ୍ରେସକୁ ଅପ ଲାଇନରେ ଆସିବାକୁ ଦିଆଯାଇ ନଥାନ୍ତା । ଏବଂ ୬ ଟା ୫୨ ରେ ଘଟିବାକୁ ଥିବା ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା ବୋଲି ତଦନ୍ତ ରିପୋର୍ଟରେ କୁହାଯାଇଥିଲା।
ସେହିଭଳି ସିଗନାଲ ଓ ଟେଲିକମ୍ୟୁନିକେସନ ବିଭାଗର ବିଭିନ୍ନ ସ୍ତରରେ ହୋଇଥିବା ତ୍ରୁଟିକୁ ଦର୍ଶାଇଛି ଏହି ତଦନ୍ତ ରିପୋର୍ଟ । ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା ମଧ୍ୟ ଦର୍ଶାଯାଇଛି । ବାହାନଗା ଇଏଲବି ଆଧୁନିକୀକରଣକୁ ଗୁରୁତ୍ବ ଦେଇ ନଥିଲେ ଅଫିସ୍ କର୍ମଚାରୀ । ସେହିପରି ଟ୍ରାକରେ କୌଣସି ତ୍ରୁଟି ନଥିଲା ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ବାହାନଗା ଷ୍ଟେସନରେ ଆଧୁନିକୀକରଣକୁ ଗୁରୁତ୍ବ ଦିଆ ନଯିବା ପ୍ରସଙ୍ଗ ବି ରିପୋର୍ଟରେ ଦର୍ଶାଇଛନ୍ତି ରେଲୱେ ସୁରକ୍ଷା କମିଶନର । ୨୦୧୮ରେ ବାହାନଗା ଷ୍ଟେସନର ସିଗନାଲ ସର୍କିଟ ପଏଣ୍ଟ ବଦଳିଥିଲା । କିନ୍ତୁ ଏହି ପରିବର୍ତ୍ତନକୁ ଡକ୍ୟୁମେଣ୍ଟେଡ୍ କରାଯାଇ ନଥିଲା । ଓ୍ବେୟାରିଂ ଡାଇଗ୍ରାମରେ ଏହି ପରିବର୍ତ୍ତନ ଦୃଶ୍ୟମାନ ହେଉ ନଥିଲା ।
ଦୁର୍ଘଟଣା ଦିନ ସିଗନାଲ ଓ ଟେଲିକମ୍ ଷ୍ଟାଫ୍ ଗୁରୁତର ତ୍ରୁଟି କରିଥିଲେ । ଯାହାଫଳରେ ଗ୍ରାଉଣ୍ଡ ଓ ସିଗନାଲ ସିଷ୍ଟମରେ ମିସ୍ ମ୍ୟାଚରୁ ଦୁର୍ଘଟଣା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।ସେପଟେ ଏକ୍ସପର୍ଟଙ୍କ କହିବା କଥା ଯେ ରୁଲ୍ ଏବଂ ସିଷ୍ଟମ୍ ଅନୁସାରେ ଟ୍ରେନ୍ ଟ୍ରାକରେ ଗୋଟିଏ ଟ୍ରେନ୍ ଗଲା ପରେ ସେଠାରେ ସିଗ୍ନାଲ ବନ୍ଦ୍ ହେବା କଥା ଏବଂ ଜଣେ ଏସଓପି ପାଳନ କରି ସେଠାରେ ଦସ୍ତଖତ କରିବା ସହ ପରବର୍ତ୍ତୀ ପ୍ରଣାଳୀ ଅନୁସରଣ କରିବା କଥା । ଏହି କ୍ଷେତ୍ରରେ ତାହା କରାଯାଇ ନାହିଁ । ଏହା ନିଶ୍ଚିତ ଭାବରେ ମାନବ ଜନିତ ତ୍ରୁଟି ବୋଲି କୁହାଯାଉଥିଲା ।
ସୂଚନା ଯେ, ଗତ ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନ ହୋଇଥିଲା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା। ମେନ୍ ଲାଇନ୍ରେ ସିଗନାଲ ପାଇଥିବା କରମଣ୍ଡଳ ଏକ୍ସପ୍ରେସ୍ ଦ୍ରୁତ ଗତିରେ ଲୁପ୍ ଲାଇନ ଭିତରକୁ ପଶି ଯାଇ ସେଠାରେ ଥିବା ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ କରମଣ୍ଡଳର ବଗିଗୁଡ଼ିକ ଛନଛତ୍ର ହୋଇଯାଇଥିଲା । ଠିକ୍ ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ଯଶଓ୍ବନ୍ତପୁର-ହାଓ୍ବଡ଼ା ଟ୍ରେନର ଦୁଇଟି ବଗିରେ ମାଡ଼ ହୋଇଥିଲା କରମଣ୍ଡଳର ବଗି। ଏହି ଦୁର୍ଘଟଣାରେ ୨୯୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରେ ଅଧିକ ଲୋକ ଆହତ ହୋଇଥିଲେ ।
