ବାଲେଶ୍ୱର ନିଖିଳ ଓଡ଼ିଶା ମାଝୀ ପାର୍ଗାନା ମହଲ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ବାଲେଶ୍ୱର : ବାଲେଶ୍ୱର ନିଖିଳ ଓଡ଼ିଶା ମାଝୀ ପାର୍ଗାନା ମହଲ ପକ୍ଷରୁ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ଏବଂ ସାନ୍ତାଳି ଭାଷା ଓ ସଂସ୍କୃତି ସୁରକ୍ଷା ବଜାୟ ରଖିବା ପାଇଁ ସାନ୍ତାଳି ବୋର୍ଡ଼ ପ୍ରତିଷ୍ଠା ଦାବିରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଶତାଧିକ ଆଦିବାସୀ ସମ୍ପ୍ରଦାୟର ଲୋକେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିିଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଓଡ଼ିଶା ମାଝୀ ପାର୍ଗାନା ମହଲର କର୍ମକର୍ତାମାନେ ଆଦିବାସୀ ସମାଜ ପ୍ରତି ସରକାରୀ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ ।
ଦେଶର ସ୍ୱାଧୀନତା ଆନ୍ଦୋଳନରେ ବ୍ରିଟିଶ୍ ସରକାର ବିରୋଧରେ ଲଢ଼େଇ ଜାରି ରଖି ଗୋଟିଏ ମା’ର ୬ ସନ୍ତାନ ଶହୀଦ ହେବା ସହ ଭାରତ ଇତିହାସରେ ଇତିହାସ ସୃଷ୍ଟି କରିଥିବା ସିଦ୍ଧୁ କାହ୍ନୁ ହୁଲଙ୍କ ୧୬୮ତମ ଶହୀଦ ଦିବସକୁ ବକ୍ତାମାନେ ସ୍ମରଣ କରିବା ସହ ସ୍ୱାଧୀନତାର ୭୫ବର୍ଷ ପରେ ବି ଆଦିବାସୀମାନେ ଅବହେଳିତ ହୋଇ ରହିବା ବାସ୍ତବିକ ଦୁଃଖ ଓ ପରିତାପର ବିଷୟ ବୋଲି କହିଥିଲେ । ସାନ୍ତାଳୀ ଭାଷାକୁ ସଂଖ୍ୟାଲଘୁ ଭାବେ ମାନ୍ୟତା ପ୍ରଦାନ, ପ୍ରାଥମିକସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସାନ୍ତାଳୀ ଭାଷା ଶିକ୍ଷାର ପ୍ରଚଳନ, ସାନ୍ତାଳୀ ଶିକ୍ଷାକୁ ପରିଚାଳନା ଓ ତ୍ୱରାନ୍ୱିତ କରିବା ପାଇଁ ସାନ୍ତାଳୀ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବୋର୍ଡ଼ ଗଠନ, ଅଲିଚିକି ଭାଷା ଶିକ୍ଷା ପ୍ରଦାନ ପାଇଁ ନିଯୁକ୍ତ ଶିକ୍ଷା ସହାୟକଙ୍କ ସ୍ଥାୟୀ ନିଯୁକ୍ତି ପ୍ରଦାନ, ରାଜ୍ୟ ସରକାରଙ୍କ ନିଷ୍ପତି ।ନୁସାରେ ଅଙ୍ଗନବାଡି କେନ୍ଦ୍ରରେ ଆଦିବାସୀ ପିଲାଙ୍କୁ ସାନ୍ତାଳୀ ଭାଷାରେ ପ୍ରାକ୍ ପ୍ରାଥମିକ ଶିକ୍ଷା ପ୍ରଦାନ, ଓଡିଶାରେ ସାନ୍ତାଳୀ ଏକାଡେମୀ ପ୍ରତିଷ୍ଠା, ଓଡ଼ିଶାରେ ବସବାସ କରୁଥିବା ସାନ୍ତାଳ ସମ୍ପ୍ରଦାୟର ମାଝୀ ଓ ପାର୍ଗାନାମାନଙ୍କୁ ମାନ୍ୟତା ପ୍ରଦାନ, ଆଦିବାସୀ ସମ୍ପ୍ରଦାୟର ସାରନା ଧର୍ମକୁ ସ୍ୱତନ୍ତ୍ର କୋର୍ଡ଼ ଭିତିରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, ଓଡ଼ିଶା ସିଭିଲ୍ ସର୍ଭିସ୍ ସମେତ ଅନ୍ୟାନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସାନ୍ତାଳୀ ଭାଷାକୁ ଏକ ବିଷୟ ଭାବେ ଅନ୍ତର୍ଭୁକ୍ତ କରିବା ଏବଂ କେନ୍ଦୁଝର ଠାରେ ନିର୍ମାଣଧୀନ ମେଡ଼ିକାଲ କଲେଜକୁ ବୀର ଶହୀଦ ସିଦ୍ଧୁ କାହ୍ନୁ ମେଡ଼ିକାଲ କଲେଜ ଓ ହସ୍ପିଟାଲ ନାମରେ ନାମିତ ପ୍ରଭୃତି ଦାବିକୁ ବକ୍ତାମାନେ ଉପସ୍ଥାପନ କରିଥିଲେ । ଏହା ସହିତ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ କମନ ସିଭିଲ କୋଡ ଆଇନକୁ ମାଝୀ ପାର୍ଗାନା ମହଲ କର୍ମକର୍ତାମାନେ ବିରୋଧ କରିଥିଲେ । ଏହି ଆଇନ ଦ୍ୱାରା ଆଦିବାସୀମାନଙ୍କ ଧର୍ମ ବିଶ୍ୱାସ ଓ ପରମ୍ପରା ତଥା ସେମାନଙ୍କ ସ୍ୱତନ୍ତ୍ର ଆଇନ କ୍ଷୁର୍ଣ୍ଣ ହେବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଥିଲେ । ଏ ସମ୍ପର୍କରେ ସଂଗଠନର ଏକ ପ୍ରତିନିଧିଦଳ ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ଦାବିପତ୍ର ପ୍ରଦାନ ବେଳେ ମାଝୀ ପାର୍ଗାନା ମହଲ ଜିଲ୍ଲା ସଭାପତି ବୁଧିରାମ ମାଝୀଙ୍କ ସହ ଜିତେନ୍ଦ୍ର ହାଁସଦା, ଇଶ୍ୱର ହାଁସଦା, ବିଜୟ ମୁର୍ମୁ, ରଘୁନାଥ ହେମ୍ବ୍ରମ, ଦଶରଥ କିସ୍କୁ, ନବୀନ ହାଁସଦା, ଶମ୍ଭୁନାଥ ଟୁଡୁ, ଲକ୍ଷ୍ମୀଧର ମାଝୀ, ଦୁଃଖିରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ପ୍ରତିନିଧିଙ୍କ ସମେତ ଶତାଧିକ ଆଦିବାସୀ ମାଦଳ ତାଳେ ତାଳେ ନୃତ୍ୟ ସହିତ ପାରମ୍ପରିକ ଅସ୍ତ୍ର ପ୍ରଦର୍ଶନ ମାଧ୍ୟମରେ ଏହି ବିକ୍ଷୋଭ ସମାବେଶରେ ସାମିଲ ହୋଇଥିଲେ ।
