ବ୍ଲକ କଳା ସଂସ୍କୃତି ସଂଘର ନୂତନ ଉପସଭାପତି ହେଲେ ଭାଗିରଥି ଦତ୍ତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ନିର୍ବାଚନ ବୁଧବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗୀଗୁରୁ ଭାଗିରଥି ଦତ୍ତ ଉପସଭାପତି ବିଜୟୀ ହୋଇଛନ୍ତି । ଏହି ପଦ ପାଇଁ ପୂର୍ବତନ ଉପସଭାପତି ସତ୍ୟବ୍ରତ ତ୍ରିପାଠୀ ଓ ଭାଗିରଥି ଦତ୍ତ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନରେ ମୋଟ ୧୪ଖଣ୍ଡ ଭୋଟ ମଧ୍ୟରୁ ଶ୍ରୀ ଦତ୍ତଙ୍କୁ ୯ଖଣ୍ଡ ଭୋଟ ମିଳିଥିବା ବେଳେ ଶ୍ରୀ ତ୍ରିପାଠୀଙ୍କୁ ୪ଖଣ୍ଡ ଓ ଖଣ୍ଡେ ଭୋଟ ନାକଚ ହୋଇଥିବା ଫଳାଫଳ ଘୋଷଣା କରାଯାଇଥିଲା । ବିଡିଓ ତଥା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ଜ୍ୟୋତିର୍ମୟ କର ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିବା ବେଳେ ପ୍ରିଜାଇଡିଂ ଅଫିସର ଭାବେ ଏବିଡିଓ ମାନସ କୁମାର ଜେନା, ପୋଲିଂ ଅଫିସର ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ ଓ ଜିପିଇଓ ତରଣୀ ସେନ ବାରିକ ନିର୍ବାଚନ କାର୍ଯ୍ୟ ତୁଲାଇଥିଲେ । ନିର୍ବାଚନରେ ଶିକ୍ଷକ ବିଶ୍ୱନାଥ ଦାସ ଓ ଚିତ୍ତରଂଜନ ସିଂ ସହଯୋଗ କରିଥିଲେ । ନବ ନିର୍ବାଚିତ ଉପସଭାପତିଙ୍କୁ ତିହିଡ଼ି କଳାକାର ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି ।
