ଭଦ୍ରକ ମହିଳା ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଲେଖିକା ସମ୍ମିଳନୀ ଝିଅଟିଏ ହସିଲେ ଗପ ତ କାନ୍ଦିଲେ କବିତା
ଭଦ୍ରକ : ଓଡିଶା ସାହିତ୍ୟ ଏକାଡେମି ତରଫରୁ ଭଦ୍ରକ ମହିଳା ମହାବିଦ୍ୟାଳୟ ଠାରେ ଏକଦିବସୀୟ ରାଜ୍ୟସ୍ତରୀୟ ଲେଖିକା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏକାଡେମିର ସଭାପତି ଡ. ହୃଷିକେଶ ମଲ୍ଲିକ ଉଦ୍ଘାଟନୀ ସଭାର ପୌରୋହିତ୍ୟ କରି ଭଦ୍ରକ ଜିଲ୍ଲାର ସାରସ୍ୱତ ସାଧିକାଂକ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଗିରିବାଳା ମହାନ୍ତି ଓ ଓଡିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଲେଖିକା ସରୋଜିନୀ ସାହୁ ଯଥାକ୍ରମେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ରୂପେ ଯୋଗଦେଇ ଝିଅଟିଏ ହସିଲେ ଗପ ତ କାନ୍ଦିଲେ କବିତା, ଲେଖିକାଟିଏ ନାରୀବାଦୀ ନୁହେଁ ସର୍ବଦା ମାନବବାଦୀ, ସେ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ କଲମ ଧରିଥାଏ । ନାରୀ ସଶକ୍ତିକରଣ ସ୍ଲୋଗାନ୍ର ପ୍ରାବଲ୍ୟ ସତ୍ତ୍ୱେ ଲେଖିକାଟିଏ କେବେବି ସ୍ୱାଧିନ ନୁହେଁ । ପୁରୁଷ ସହ ନାରୀର ସହଭାଗିତା ଚିର କାମ୍ୟ । ନାରୀ ପୁରୁଷର ଘନିଷ୍ଠ ବଂଧୁ ଓ ସହଯୋଗୀ । ଲେଖିକାଟିଏ ତା’ର ନିର୍ଭିକ ସ୍ୱରରେ ନିଦ୍ରିତ ଈଶ୍ୱରଙ୍କ ନିଦ ଭାଙ୍ଗି ସାମାଜିକ ପରିବର୍ତ୍ତନର ସ୍ୱର ଶୁଣାଇଥାଏ ବୋଲି ସେମାନେ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ସୁସାହିତ୍ୟିକା ଗୋଲାପ ମଞ୍ଜରୀ କର ଓ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଓଡିଶା ସାହିତ୍ୟ ଏକାଡେମି ସଦସ୍ୟ ପବିତ୍ର ପାଣିଗ୍ରାହୀ ଅତିଥିଙ୍କ ପରିଚୟ ଓ ପୂର୍ଣ୍ଣଚନ୍ଦ୍ର ବହଳି ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ପରେ ମହାବିଦ୍ୟାଳୟ ତରଫରୁ ଅତିଥିଙ୍କୁ ଅଂଗବସ୍ତ୍ର ପ୍ରଦାନ କରାଯାଇଥିଲା । ବିଜୟ ବହଳୀ ବେଦପାଠ କରିଥିଲେ । ଉଦ୍ଘାଟନୀ ସଭାର ଶେଷସ୍ପର୍ଶ ଦେଇଥିଲେ ଡ. ଅଭୟ ଦାସ । ଦ୍ୱିତୀୟ ଅଧିବେଶନରେ ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ‘ଲେଖିକାଙ୍କ ଲେଖନୀରେ ସାମାଜିକ ପରିବର୍ତ୍ତନର ସ୍ୱର’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଏକାଡେମିର କାର୍ଯ୍ୟକାରୀ କମିଟି ସଦସ୍ୟା ଡ. ଶୁଭଶ୍ରୀ ଲେଙ୍କା, ବିଦ୍ୟୁତ୍ଲତା ଦାସ, ଡ. ରାଧା ରାଣୀ ମହାପାତ୍ର, ଡ. ପ୍ରଭାତ ନଳିନୀ ମହାପାତ୍ର ସମ୍ମାନନୀୟ ଅତିଥି ଏବଂ ବୀଣାପାଣି ପଣ୍ଡା, ପ୍ରୀତିଲତା ପଣ୍ଡା, ଭାନୁମତୀ ମାଟିଆ ଓ ସାବିତ୍ରୀ କବି ସମ୍ମାନିତ ଆଲୋଚିକା ଭାବେ ଅଂଶଗ୍ରହଣ କରିଥିଲେ । ଅପରାହ୍ଣରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସଭାମୁଖ୍ୟ ଥିଲେ ଝରଣା ପଟ୍ଟନାୟକ ଏବଂ ବସନ୍ତ ମିଶ୍ର, ଗୀତାରାଣୀ ଆଇଚ, ସିନ୍ଧୁ ସେନ୍ ଓ ଶାନ୍ତିଲତା ନାଗ ସମ୍ମାନୀୟ ଅତିଥି ରୂପେ ମଂଚାସୀନ ଥିଲେ । ଡ. ମମତା ସାହୁ ଓ ସଂଯୁକ୍ତା ଭାରତୀ କବିତା ପାଠର ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ପ୍ରାଧ୍ୟାପିକା ଅନିତା ଦଳାଇ, ଆଭାମୟୀ ମହାପାତ୍ର, ମନୋଜ ସାହୁ, ଭବେଶ ସ୍ୱାଇଁ, ରାଜେଶ ପାହାଡି, ଜ୍ୟୋତ୍ସ୍ନାରାଣୀ ଲେଙ୍କା, ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।
