୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଓଡ଼ିଶା
ଭଦ୍ରକ ଜିଲାସ୍ତରୀୟ ବାଲ୍ୟ ବିବାହ ଟାକ୍ସ ଫୋର୍ସ କମିଟି ବୈଠକ
ଭଦ୍ରକ : ପୁଅ ହେଉ ଅବା ଝିଅ, ୧୦ ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ମହିଳା ଓ ଶିଶୁ ବିକାଶ, ପୋଲିସ୍ ଆଦି ବିଭାଗର ସମସ୍ତ ଯୋଜନା ସହିତ ୧୦୦% ପିଲାଙ୍କୁ ସାମିଲ କରାଗଲେ ଶିଶୁ ସୁରକ୍ଷା ଜନିତ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଜି ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲାସ୍ତରୀୟ ବାଲ୍ୟ ବିବାହ ନିଷେଧ ଜନିତ ସଚେତନତା ମୂଳକ ବୈଠକରେ ମତ ପ୍ରକାଶ ପାଇଥିଲା । ଜିଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିଶୁ ମଙ୍ଗଳ କମିଟି ଭଦ୍ରକର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ୍, ଏ.ପି.ଡି. କୁଶଳ ଚନ୍ଦ୍ର ନାଏକ, ଉପଜିଲାପାଳ ମନୋଜ ପାତ୍ର, ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ଲୋକ ସଂଖ୍ୟାର ୪୦% ଶିଶୁ, ସେମାନଙ୍କ ଲାଗି ଉଦ୍ଧିଷ୍ଟ ସମସ୍ତ ସରକାରୀ ବିଭାଗ ସହିତ ସେମାନଙ୍କ ଭାଗିଦାରୀ ଅଛି । ସେ ସବୁଥିରେ ସାମିଲ ହେବାରୁ ବଞ୍ôଚତ ହେଲେ ଶିଶୁ ଶ୍ରମିକ, ଶିଶୁ ଅପହରଣ, ଶିଶୁ ଅତ୍ୟାଚାର, ଶିଶୁ ନିଖୋଜ, ଅଧାରୁ ପାଠ ଛାଡ଼ୁଥିବା ଶିଶୁ ଭଳି ଅନେକ ଘଟଣା ସମାଜରେ ଘଟିଥାଏ । ଶିଶୁ ସରୁକ୍ଷା ନେଇ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ବିଭିନ୍ନ ନୀତି ନିୟମ , ପଦକ୍ଷେପ ପ୍ରଣୟନ ହେବା ପରିପ୍ରେକ୍ଷୀରେ ଆସନ୍ତା ୨୦୩୦ ମସିହା ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଗଠନ ନେଇ ୨୦୧୯ରେ ସରକାରୀ ଭାବେ ନିଷ୍ପତ୍ତି ନିଆଯାଇ ୨୦୨୪ ସୁଦ୍ଧା ଏ ଦିଗରେ ୩୦% ଲକ୍ଷ୍ୟ ହାସଲ ପାଇଁ ନିର୍ଦ୍ଦେଶ ରହିଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା । ସି.ଡବ୍ଲ୍ୟୁ.ସିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାରିକ୍ ବକ୍ତବ୍ୟ ପ୍ରସଙ୍ଗରେ ବାଲ୍ୟ ବିବାହ ଜନିତ ସମସ୍ୟା ନେଇ ୩ଟି ପର୍ଯ୍ୟାୟର କଥା ଉତ୍ଥାପନ କରିଥିଲେ । ବାଲ୍ୟ ବିବାହ ସ୍ଥିର ହେବା ପୂର୍ବର ଅବସ୍ଥା, ବାଲ୍ୟ ବିବାହ ସମୟରେ ଉଦ୍ଧାର କାର୍ଯ୍ୟ ନେଇ ସୃଷ୍ଟ ପରିସ୍ଥିତି ଓ ଭାବପ୍ରବଣତାର ପରିବେଶ, ବାଲ୍ୟ ବିବାହ ପରେ ନିଆଯିବାକୁ ଥିବା କାର୍ଯ୍ୟାନୁଷ୍ଠାନ ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବାଲ୍ୟ ବିବାହ ନିଷେଧ ପାଇଁ ଅଧିକ ସଚେତନତାର ଆବଶ୍ୟକତା ଅଛି । ଏ ଦିଗରେ ବିଭିନ୍ନ ବିଭାଗ ଦ୍ୱାରା ନିଆଯିବାକୁ ଥିବା ପଦକ୍ଷେପ ନେଇ ଗୋଟିଏ ବି ବିଫଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜିଲାପାଳ ପ୍ରକାଶ କରିଥିଲେ । ବାଲ୍ୟ ବିବାହ ଜନିତ କ୍ଷତି ଓ ସମାଧାନ ନେଇ ଆମ ସମସ୍ତଙ୍କର କର୍ତ୍ତବ୍ୟ ସମ୍ବନ୍ଧରେ ଏ.ପି.ଡି. ଶ୍ରୀ ନାଏକ କହିଥିଲେ । ବୈଠକରେ ଉପସ୍ଥିତ ବାଲ୍ୟ ବିବାହର ଜିଲା ସଂଯୋଜକ ଅସିମ ଅମିତାଭ ଦାସ ଗତ ତିନିମାସର ଧାରା ବିବରଣୀ ଓ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ କରୋନା ଜନିତ ପରିସ୍ଥିତିରେ ଆଧାରୁ ପାଠ ଛାଡ଼ିଥିବା ଶିଶୁମାନଙ୍କ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ । ଚାଇଲଡ୍ ଲାଇନ୍ର ନିର୍ଦ୍ଦେଶକ ସୋଫିଆ ସେଖ୍, ସଂଯୋଜିକା ସରସ୍ୱତୀ ମହାରଣା, ଏଚ୍.ଆର.ପି.ସି. କର୍ମଚାରୀ ମନ୍ଦାକିନୀ ମହାନ୍ତ ପ୍ରମୁଖ ବାଲ୍ୟ ବିବାହ ସମସ୍ୟା ଓ ଉଦ୍ଧାର କାର୍ଯ୍ୟ ନେଇ ନିଜର ଅନୁଭୂତି ଓ ତଦ୍ଜନିତ ନିଆଯିବାକୁ ଥିବା ପଦକ୍ଷେପ ସମ୍ବନ୍ଧରେ ମନ୍ତବ୍ୟ ରଖିଥିଲେ । ଭଦ୍ରକ ସି.ଡି.ପି.ଓ. ସୁନନ୍ଦା ଦାସ, ଜିଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା, ସି.ଡି.ପି.ଓ. ବାସୁଦେବପୁର ସନ୍ଧ୍ୟାରାଣୀ ମଲ୍ଲିକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସହ ଚାଇଲ୍ଡ ଲାଇନ୍ରେ କାମକରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ଯୁବକ ସଂଘ, ଚାନ୍ଦବାଲିର କର୍ମକର୍ତ୍ତା ଓ ଅନ୍ୟ ସଦସ୍ୟ ସଦସ୍ୟା ସଂପୃକ୍ତ ସରକାରୀ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।
