ବିସିସିଆଇ ସିଏମ୍ଓ ଅଭିଜିତ ସାଲଭିଙ୍କ ଇସ୍ତଫା
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ମୁଖ୍ୟ ମେଡିକାଲ ଅଫିସର (ସିଏମ୍ଓ) ଅଭିଜିତ ସାଲଭିଙ୍କ ଇସ୍ତଫା । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦରୁ ଇସ୍ତଫା ଦେଇଛନ୍ତି ।
ସାଲଭି କହିଛନ୍ତି ନଭେମ୍ବର ୩୦ରେ ତାଙ୍କର ନୋଟିସ୍ ପିରିୟଡ ଶେଷ ହୋଇସାରିଛି ମାତ୍ର ଡିସେମ୍ବର ୭ ପର୍ଯ୍ୟନ୍ତ ଭାରତ ଓ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ ଖେଳାଯିବା ପର୍ଯ୍ୟନ୍ତ ସେ କାର୍ଯ୍ୟ ଜାରି ରଖିଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ବବଲ ଲାଇଭ(ଜୈବ ସୁରକ୍ଷା ବଳୟ ଜୀବନ) ଏକ ପ୍ରମୁଖ ଅଂଶ ହୋଇସାରିଥିବାରୁ କୋଭିଡ୍ ସମୟରେ ନିୟମିତ ଟେଷ୍ଟିଂ ସହିତ ତାଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଥିଲା ।
ଇସ୍ତଫା ଦେବା ପରେ ବିସିସିଆଇକୁ ଏହି ସୁଯୋଗ ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ସାଲଭି । ସେ କହିଛନ୍ତି, “ପ୍ରାୟ ୧୦ ବର୍ଷ ପରେ ବିସିସିଆଇ ଠାରୁ ଅଲଗା ହେବାକୁ ପଡୁଛି । କୋଭିଡ୍ ସମୟରେ ୨୪X୭ କାମ କରିବାକୁ ପଡିଛି । ତେବେ ବର୍ତ୍ତମାନ ନିଜକୁ ଓ ପରିବାର ସହ ସମୟ ବିତାଇବାକୁ ଚାହୁଁଛି ।”
