ଆଇପିଏଲ୍-୨୦୨୧ : ଏଲିମିନେଟର୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଙ୍ଗଲୋର
ସାରଜା : ଆଇପିଏଲ୍ ପ୍ଲେ ଅଫ୍ ପର୍ଯ୍ୟାୟର ଏଲିମିନେଟର ମୁକାବିଲାରେ ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଭେଟିବ। ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଆର୍ସିବି । କେକେଆର୍ ଏବଂ ଆର୍ସିବି ମଧ୍ୟରେ ଯେଉଁ ଟିମ ବିଜୟୀ ଲାଭ କରିବ, ଫାଇନାଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଟକ୍କର ଦେବ । ଏଥିରେ କୋହଲିଙ୍କ ରଣନୀତି ଦକ୍ଷତା ଏବଂ ଇଅନ ମୋର୍ଗାନଙ୍କ ବରଫ ଭଳି ଥଣ୍ଡା ମିଜାଜର ମହାପରୀକ୍ଷା ହେବ। ଦଳଗତ ଭାବେ ଆର୍ସିବି ପାଇଁ ଏହି ମ୍ୟାଚ୍ର ଢେର ମହତ୍ବ ରହିବ। କାରଣ ଆସନ୍ତାକାଲି ପରାଜିତ ହେଲେ ସ୍ବପ୍ନର ଟ୍ରଫି ତୋଳି ଧରିବାର ଆଉ ଏକ ସୁଯୋଗ ଏହି ଦଳ ହାତଛଡ଼ା କରିବ। ଅଧିନାୟକ ଭାବେ କୋହଲିଙ୍କ ପାଇଁ ଏହି ମ୍ୟାଚ୍ ମଧ୍ୟ ଅନେକ ଆହ୍ବାନ ନେଇ ଆସିବ। କାରଣ ଚଳିତ ଋତୁ ପରେ ଆର୍ସିବି ଅଧିନାୟକ ପଦ ଛାଡ଼ିଦେବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି ସେ। ସେଥିପାଇଁ ସୋମବାର ନଜିତିଲେ ଦୀର୍ଘ ବର୍ଷ ଭିତରେ ଆର୍ସିବିକୁ ଥରେ ମାତ୍ର ଆଇପିଏଲ୍ ବିଜୟୀ କରାଇବାର କୋହଲିଙ୍କ ବ୍ୟକ୍ତିଗତ ସ୍ବପ୍ନ ଅପୂରଣୀୟ ହୋଇ ରହିଯିବ। କୋହଲିଙ୍କ ନେତୃତ୍ବରେ ଆର୍ସିବି ୨୦୧୬ ମସିହାରେ ଫାଇନାଲ୍ ଖେଳିଥିଲା।
ଏଲିମିନେଟର ଜିତିବା ଦଳର ମୁକାବିଲା କ୍ଵାଲିଫାୟର-୧ରେ ପରାଜିତ ଦିଲ୍ଲୀ କ୍ୟାପିଟାଲ୍ସ ସହ ଅକ୍ଟୋବର ୧୩ରେ ହେବ। ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରି ସାରିଛି। ଆଇପିଏଲରେ ଏ ପର୍ଯ୍ୟନ୍ତ ଆରସିବି ଏବଂ କେକେଆର ମଧ୍ୟରେ ୨୮ ମ୍ୟାଚ୍ ଖେଳା ଯାଇଛି। କୋଲକାତା ୧୫ଟି ଜିତିଥିବା ବେଳେ ଆରସିବି ୧୩ଟି ଜିତିଛି। ଗତ ୫ଟି ମ୍ୟାଚ୍ରେ ଆରସିବିର ପଲ୍ଲା ଭାରି ରହିଛି ଏବଂ ଦଳ କେକେଆରକୁ ୪ ଥର ମାତ୍ ଦେଇଛି। ଆରସିବି ଦଳ ନିଜର ଅନ୍ତିମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଶେଷ ବଲ୍ରେ ଛକା ମାରି ବିଜୟ ହାସଲ କରିବା ପରେ ଆତ୍ମ ବିଶ୍ଵାସ ଉର୍ଦ୍ଧ୍ଵରେ ରହିଛି। ଦଳ ୪ ମ୍ୟାଚ୍ରୁ ୯ ବିଜୟ ସହ ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ କେକେଆର ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ନିରାଶଜନକ ପ୍ରଦର୍ଶନ କରିବା ପରେ ୟୁଏଇରେ ୭ଟିରୁ ୫ ବିଜୟ ସହ ପ୍ଲେ ଅଫ୍ରେ ପହଞ୍ଚିଛି। ଦଳର ଆତ୍ମ ବିଶ୍ଵାସ ମଧ୍ୟ ଉର୍ଦ୍ଧ୍ଵରେ ରହିଛି। କେକେଆର ଆଇପିଏଲ୍ରେ ଦୁଇ ଥର ଟାଇଟଲ୍ ଜିତିଥିବା ବେଳେ ଆରସିବି ନିଜର ପ୍ରଥମ ଟାଇଟଲ୍ ସନ୍ଧାନରେ ରହିଛି। ସେମିତିରେ ଆରସିବି ପାଇଁ କୋହଲି ଶେଷ ଥର ନେତୃତ୍ଵ ନେଉଛନ୍ତି। ତେଣୁ ଦଳକୁ ଚାମ୍ପିଅନ କରାଇ ସେ ଭବ୍ୟ ବିଦାୟ ନେବାକୁ ଚେଷ୍ଟା କରିବେ। ଦୁଇ ଦଳର ବ୍ୟାଟିଂ ଏବଂ ବୋଲିଂକୁ ଦେଖିଲେ ମ୍ୟାଚ୍ କଡା ଟକ୍କର ହେବ ବୋଲି ଆଶା କରାଯାଉଛି। କୋଲକାତାର ଓପନିଂ ଯୋଡି ଭେଙ୍କଟେଶ ଆୟର ଓ ଶୁଭମାନ ଗିଲ୍ ଦଳକୁ ଭଲ ଆରମ୍ଭ ଦେଉଥିବା ବେଳେ ମଧ୍ୟ କ୍ରମରେ ନୀତିଶ ରାଣା, ରାହୁଲ ତ୍ରିପାଠୀ ଏବଂ ଦିନେଶ କାର୍ତ୍ତିକ ବ୍ୟାଟିଂ ସମ୍ଭାଳୁଛନ୍ତି। ଦ୍ରୁତ ବୋଲିଂରେ ଲୋକି ଫର୍ଗ୍ୟୁସନ, ଟିମ୍ ସାଉଦି ଏବଂ ଶିବମ ମାଭି ଭଲ ପ୍ରଦର୍ଶନ କରୁଥିବା ବେଳେ ସ୍ପିନ ବୋଲିଂ ଭାର ସମ୍ଭାଳୁଛନ୍ତି ବରୁଣ ଚକ୍ରବର୍ତ୍ତୀ। ଅନ୍ୟପଟେ ଆରସିବି ପାଇଁ ସବୁଠୁ ବଡ କଥା ଗ୍ଲେନ ମ୍ୟାକ୍ସଓ୍ଵେଲ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ ସିଜିନରେ ୬ ଅର୍ଦ୍ଧଶତକ ସହ ଦଳ ପକ୍ଷରୁ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ। ଦେବଦତ୍ତ ପାଡିକଲ ଓପନିଂରେ ଉପଯୋଗୀ ସାବ୍ୟସ୍ତ ହେଉଥିବା ବେଳେ ମଧ୍ୟ କ୍ରମରେ ମ୍ୟାକ୍ସଓ୍ଵେଲ ଓ ଡିଭିଲିୟର୍ସ ନିଜର ଭୂମିକା ନିର୍ବାହ କରୁଛନ୍ତି। ଗତ ମ୍ୟାଚ୍ରେ ଭରତ ଅରୁଣ ମ୍ୟାଚ୍ ବିଜୟୀ ଇନିଂସ ଖେଳିବା ଆରସିବିକୁ ଆଶ୍ଵସ୍ତ କରିଛି। ବୋଲିଂ ହର୍ଷଲ ପଟେଲ୍ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହୋଇଛନ୍ତି।
ସମ୍ଭାବ୍ୟ ଆର୍ସିବି: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ୍, ଶ୍ରୀକର ଭରତ, ଏବି ଡିଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍, ଡାନ୍ କ୍ରିଷ୍ଟିଆନ୍, ଶାହାବାଜ ଅହମ୍ମଦ, ଜର୍ଜ ଗର୍ଟନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ।
ସମ୍ଭାବ୍ୟ କେକେଆର୍: ଶୁବମନ ଗିଲ୍, ଭେଙ୍କଟେଶ ଆୟର, ନୀତୀଶ ରାଣା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ, ଇଅନ ମୋର୍ଗାନ (ଅଧିନାୟକ), ସକିବ-ଅଲ୍-ହାସନ, ସୁନିଲ ନରିନ, ଲୋକି ଫର୍ଗୁସନ୍, ବରୁଣ ଚକ୍ରବର୍ତ୍ତୀ, ଶିଭମ ମାଭି।
