ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ
ବାଲେଶ୍ୱର : ଶୋଭାରାମପୁରସ୍ଥିତ ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ କ୍ରୀଡ଼ା ଉତ୍ସବକୁ ମୁଖ୍ୟ ଅତିଥି ଶ୍ରୀମତୀ ଅନୁପମା ଦାଶ, କାଉନ୍ସିଲର, ଶୋଭାରାମପୁର ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଫ୍ଲାଇଙ୍ଗ୍ ଅଫିସର ଶ୍ରୀଯୁକ୍ତ ଅଶୋକ କୁମାର ଦାଶ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଗୁଡିପଦାର ପୂର୍ବତନ କାଉନ୍ସିଲର ଶ୍ରୀଯୁକ୍ତ ଚିତ୍ତରଂଜନ ପଣ୍ଡା ଯୋଗଦେଇ କ୍ରୀଡ଼ା ଶିକ୍ଷାର ଏକ ଅଭିନ୍ନ ଅଙ୍ଗ ତଥା ପାଠପଢା ସହିତ ଖେଳ ପ୍ରତି ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଦେଶର ଅନେକ ଛାତ୍ରଛାତ୍ରୀ ଏହି କ୍ରୀଡ଼ାକୁ ମାଧ୍ୟମ କରି ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି ବୋଲି ନିଜସ୍ୱ ମତ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନ୍ନଦା ପ୍ରସାଦ ଜେନା ଏହି ସଭାରେ ପୌରୋହିତ୍ୟ କରିଥିବା ବେଳେ ଅନୁଷ୍ଠିତ ଉକ୍ତ ସଭାରେ ଅଧ୍ୟାପକ ରତ୍ନାକର ମହାପାତ୍ର ପ୍ରାରମ୍ଭିକ ସୂଚନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶୋଭାରାମପୁର ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ ସହଯୋଗ କରିଥିବାବେଳେ ପଦାର୍ଥ ବିଜ୍ଞାନର ଡେମୋନ୍ଷ୍ଟେଟର ଶ୍ରୀଯୁକ୍ତ ରାଜଦର୍ଶୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀମାନେ ଉପସ୍ଥିତ ରହି ଖେଳ ସମୂହକୁ ପରିଚାଳନା କରିଥିଲେ ।
