ବାଲେଶ୍ୱର ଜିଲାରେ ଯାନବାହନ ଚଳାଚଳ ନେଇ ଟ୍ରାଫିକ୍ କଟକଣା ଲାଗୁ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦୁର୍ଘଟଣା, ଜୀବନହାନି ଏବଂ ଟ୍ରାଫିକ୍ ଜାମ୍ ହ୍ରାସ କରିବା ପାଇଁ ସହରର କେତୋଟି ନିର୍ଦ୍ଦିଷ୍ଟ ରାସ୍ତାରେ ଭାରୀଯାନ ଚଳାଚଳ ନେଇ ଜିଲା ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି । ଆଇଟିଆଇ ଛକରୁ ଭାୟା ବାଲେଶ୍ୱର ବସ୍ଷ୍ଟାଣ୍ଡ, ଏଫଏମ୍ ଗୋଲେଇ ଦେଇ ସୁରଜ ହୋଟେଲ ଛକ, ପୋଲିସ ଲାଇନ ଛକରୁ ଭାୟା ଏଫଏମ୍ କଲେଜ ଦେଇ ହେମକାପଦା ଛକ, ଫକୀରମୋହନ ଗୋଲେଇରୁ ଭାୟା ଫାଣ୍ଡି ଛକ, ଚିଡ଼ିଆପୋଲ, ସଦର ମହକୁମା ଡାକ୍ତରଖାନା, ସିନେମା ଛକ ଏବଂ ମୋତିଗଞ୍ଜ ବଜାର ଦେଇ ଟାଉନ ଥାନା, ଷ୍ଟେସନ ଛକରୁ ଭାୟା ଏଡିଏମ ଛକ, ଜିଲ୍ଲା ସ୍କୁଲ ଦେଇ ପାଣି ଟାଙ୍କି ଛକ, ମିର୍ଜାପୋଖରୀ ଛକରୁ ଭାୟା ମାଣିଖମ୍ବ ଏବଂ ବାରବାଟୀ ଦେଇ ବୁଢ଼ା କାର୍ତ୍ତିକ ଛକ, ମିର୍ଜାପୋଖରୀରୁ ଭାୟା ଟାଉନହଲ ଏବଂ ସିନେମା ଛକ ଦେଇ ବେବିଲୋନ ଛକ, ଟେକ୍ନିକାଲ ସ୍କୁଲ ଛକରୁ ଭାୟା ଏଡିଏମ ଛକ, ରାଜାବଗିଚା ଦେଇ ନାରୀସଂଘ,ଷ୍ଟେସନ ଛକରୁ ଭାୟା ନାରୀସଂଘ ଦେଇ ପଢୁଆଁପଦା ଛକ, ହରିପୁର ଛକରୁ ଭାୟା ଗଳାପୋଲ, ଦରଜୀପୋଖରୀ, ଚୂନଭାଟି ଦେଇ ମିର୍ଜାପୋଖରୀ ଛକ ପର୍ଯ୍ୟନ୍ତ ରାସ୍ତାଗୁଡ଼ିକରେ ପୂର୍ବାହ୍ନ ୮ଟା ୩୦ମିନିଟ୍ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି ।
ହରିପୁର ପାଶ୍ୱର୍ରୁ ଆସୁଥିବା କେବଳ ଟ୍ରାକ୍ଟର, ମିନିଟ୍ରକ୍ ଗୁଡ଼ିକୁ ଆନନ୍ଦ ବଜାର, ମାଲଗୋଦାମ, ଭାସ୍କରଗଞ୍ଜ ଛକ, ତେଲେଙ୍ଗା ସାହି ଛକ, ପୋଲିସ ଲାଇନ ଛକ ଦେଇ ଆଇଟିଆଇଛକ ଆଡ଼କୁ ଯିବା ଓ ସେହି ସମାନ ରାସ୍ତା ଦେଇ ଫେରିବାକୁ ଅନୁମତି ଦିଆଯିବ । ସେହିପରି ଚାନ୍ଦିପୁର ଅଞ୍ଚଳରେ ସମୁଦ୍ର ବେଳାଭୂମିରେ ଗାଡ଼ି ଚାଳନା ଯୋଗୁଁ ଘଟୁଥିବା ଅଘଟଣକୁ କମାଇବା ପାଇଁ ସୋନପୁର ଛକରୁ ଆରମ୍ଭ କରି ଚାନ୍ଦିପୁର ପାନ୍ଥନିବାସ ପର୍ଯ୍ୟନ୍ତ ଯାନ ଚାଳନା ନିଷେଧ ଥିବା ଅଞ୍ଚଳରେ ସମସ୍ତ ପ୍ରକାର ଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଅନୁରୂପ ଭାବେ ଯାନବାହାନ ଚଳାଚଳ ପାଇଁ ଉଦ୍ଦିଷ୍ଟ ନ ଥିବା ତାଳସାରୀ ବେଳାଭୂମି ଅଞ୍ଚଳରେ ମଧ୍ୟ ସମସ୍ତ ପ୍ରକାର ଯାନ ଚଳାଚଳ ଉପରେ କଟକଣା ଲାଗିଛି । ବାଲେଶ୍ୱର ସହରର ଫାଣ୍ଡିଛକ (ସହଦେବଖୁଣ୍ଟା ଥାନା)ରୁ ଆରମ୍ଭ କରି ଚିଡ଼ିଆପୋଲ ପର୍ଯ୍ୟନ୍ତ ମୁଖ୍ୟ ପରିବହନ ରାସ୍ତାରେ ଅବାଧ ଗାଡ଼ି ଚଳାଚଳ ପାଇଁ ଦୁଇ ଚକିଆ ଯାନ ବ୍ୟତୀତ ସମସ୍ତ ପ୍ରକାର ଯାନର ବେଆଇନ ପାର୍କିଂ ଉପରେ କଟକଣା ଲାଗୁ କରାଯାଇଛି । ଏ ସମସ୍ତ ଯାନ ମିଶନ ପଡ଼ିଆରେ ପାର୍କିଂ କରିବାକୁ କୁହାଯାଇଛି । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଅନୁମୋଦିତ ଆଦେଶନାମା ଅନୁଯାୟୀ ଗତ ୧୭ ତାରିଖରୁ ଆସନ୍ତା ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ୩୦ଦିନ ପାଇଁ ଏହି ସମସ୍ତ କଟକଣା ବଳବତ୍ତର ରହିବ ।
