ବାଲେଶ୍ୱର : ଓଡ଼ିଶା ଅଣନିଯୁକ୍ତ ପୁରୁଣା ସିଟି ବିଏଡ୍ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
- ନିଯୁକ୍ତିରୁ ବଞ୍ଚିତ ଆଶାୟୀ ସିଟି ବିଏଡ୍ଙ୍କୁ ଅତିଥିଶିକ୍ଷକ ଭାବେ ମନୋନୀତ ପାଇଁ ଦାବିପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଯୁକ୍ତିରୁ ବଞ୍ଚିତ ଥିବା ଆଶାୟୀ ସିଟି ବିଏଡଙ୍କୁ ଅତିଥିଶିକ୍ଷକ ଭାବେ ମନୋନୀତ ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ ଦାବିରେ ଓଡିଶା ବିଜୁ କଳିଙ୍ଗ ସେନା ସହଯୋଗରେ ଓଡ଼ିଶା ଅଣନିଯୁକ୍ତ ପୁରୁଣା ସିଟି ବିଏଡ ମହାସଂଘ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସିଟି ବିଏଡ୍ଧାରୀ ଆଶାୟୀମାନେ ସ୍ଥାନୀୟ ମିଶନ ପଡ଼ିଆ ନିକଟରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଓଡ଼ିଶା ବିଜୁ କଳିଙ୍ଗ ସେନାର କର୍ମକର୍ତ୍ତାମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଏବଂ ପୁରୀ ଜିଲାପାଳଙ୍କ ଉପରେ କାଳିମାଡ କରିଥିବା ବ୍ୟକ୍ତି ଏବଂ ସମ୍ପୃକ୍ତ ଘଟଣା ପ୍ରଛଦ ପଟରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ ସହିତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ସେହିପରି ଓଡ଼ିଶା ଅଣନିଯୁକ୍ତ ପୁରୁଣା ସିଟି ବିଏଡ୍ ମହାସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ୧୯୯୦ରୁ ୨୦୦୧ ମସିହା ମଧ୍ୟରେ ନିଯୁକ୍ତିରୁ ବଞ୍ଚିତ ଥିବା ପୁରୁଣା ସିଟି ବିଏଡ୍ମାନଙ୍କୁ ଅତିଥି ଶିକ୍ଷକଭାବେ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିବା ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ ପାଇଁ ଦାବି ଜଣାଇଥିଲେ । ଏହି ଅବସରରେ ସଂଘର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ମହାସଂଘର ସଭାପତି ପତିତପାବନ ପ୍ରଧାନ, ବିଜୁ କଳିଙ୍ଗ ସେନାର ସଭାପତି ଗୋପବନ୍ଧୁ ମୁଦୁଲି, ସମ୍ପାଦକ କାହ୍ନୁଚରଣ ସାହୁ, ଗଗନ ବିହାରୀ ମିଶ୍ର, ବିନୟ କୁମାର ମହାପାତ୍ର, ଶରତ ମହାକୁଢ଼ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।
