ବାଲେଶ୍ୱର : ଜାନୁୟାରୀ ୨୨ରୁ ଜୈବିକ କୃଷି ପ୍ରଶିକ୍ଷଣ ଶିବିର
ବାଲେଶ୍ୱର : ବାଲେଶ୍ୱର ବସ୍ଷ୍ଟାଣ୍ଡ ସ୍ଥିତ ଭାଜପା ଜିଲା କାର୍ଯ୍ୟାଳୟରେ ରବିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇ ଛନ୍ତି ଯେ, ଚୌଧୁରୀ ଚରଣ ସିଂହ ରାଷ୍ଟ୍ରୀୟ କୃଷି ବିପଣନ ସଂସ୍ଥାଙ୍କ (କୃଷି ମନ୍ତ୍ରଣାଳୟ ଭାରତ ସରକାର) ସହଯୋଗରେ ଓ ଜନକଲ୍ୟାଣକରୀ ଯୋଜନା ପ୍ରଚାର ପ୍ରସାର ଅଭିଯାନ ମାଧ୍ୟମରେ ଆସନ୍ତା ଜାନୁୟାରୀ ୨୨, ୨୩ ଓ ୨୪ ତାରିଖରେ ଏକ ଜୈବିକ କୃଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ।
ଉକ୍ତ ଶିବିରରେ ୩୦ ଜଣ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ଚାଷୀଙ୍କୁ ପ୍ରଶିକ୍ଷିତ କରାଯିବା ସହିତ ସେମାନଙ୍କୁ କୃଷି କିଟ୍ ଓ ଭାରତ ସରକାରଙ୍କ ପ୍ରମାଣପତ୍ର ପ୍ରଦାନ କରାଯିବ । ଏତଦ୍ୱ୍ୟତୀତ ଅନ୍ୟ କେହି ଚାହିଁଲେ ସେମାନଙ୍କୁ ଜୈବିକ କୃଷି ଓ ମାଛଚାଷ ବିଷୟରେ ନିଶୁଳ୍କ ବୈଷୟିକ ଜ୍ଞାନ କୌଶଳ ବିଷୟରେ ସହାୟତା ପ୍ରଦାନ କରାଯିବ । ଏହା ସହିତ ନିଜର ଉତ୍ପାଦର ଅନଲାଇନ ବିପଣନ, କିଷାନ ଷ୍ଟାର୍ଟଅପ ଓ ଏଫବିଆଇ ବିଷୟରେ ପ୍ରଶିକ୍ଷଣ ଦିଆଯିବ । ଖବରଦାତା ସମ୍ମିଳନୀରେ ଜନକଲ୍ୟାଣକରୀ ଯୋଜନା ପ୍ରଚାର ପ୍ରସାର ଅଭିଯାନର ରାଷ୍ଟ୍ରୀୟ ସଭାପତି ପୁଷ୍ପେଶ ଆର୍ଯ୍ୟ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ରାଜମଣୀ ଓ ଓଡ଼ିଶା ପ୍ରଦେଶ ସଭାପତି ଜିତେନ୍ଦ୍ର ପାତ୍ର ଉପସ୍ଥିତ ରହି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ ।
