ବାଲେଶ୍ୱର : ରାଜପଥରେ ଓଲଟିଲା କାର୍, ୫ ଆହତ
ବାଲେଶ୍ୱର : ବାଲେଶ୍ୱର ଜିଲା ୬୦ ନମ୍ୱର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟରେ ରବିବାର ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କାରରେ ଗୋଟିଏ ପରିବାରର ୨ ମହିଳାଙ୍କ ସମେତ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି ।
ପଶ୍ଚିମବଙ୍ଗ କଲିକତା ନିକଟ ଷ୍ଟେସନପଲ୍ଲୀ ଅଞ୍ଚଳର ଦିଲ୍ଲୀପ ଘୋଷ ନିଜ ପରିବାରବର୍ଗଙ୍କୁ ନେଇ ପୁରୀ ଜଗନ୍ନାଥ ଦର୍ଶନ ପାଇଁ କାର (ନଂ. ଡବ୍ଲୁବି୨୦ବିଜି-୩୪୬୭) ଯୋଗେ ଯାଉଥିଲେ । ବସ୍ତା ଥାନା ଅନ୍ତର୍ଗତ ବସ୍ତା ବାଇପାସ୍ ନିକଟରେ ହଠାତ୍ ଏକ ଗାଈ ରାଜପଥ ଉପର ଦେଇ ରାସ୍ତା ଅତିକ୍ରମ କରୁଥିଲା । ଫଳରେ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇ ରାଜପଥ ଉପରେ ଓଲଟି ପଡ଼ିଥିଲା । ଖବରପାଇ ବସ୍ତା ଥାନା ପୋଲିସ, ଦମକଳ ବାହିନୀ ଓ ରାଜପଥ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ôଚ କାର ଭିତରୁ ଆହତମାନଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଆରତୀ ଘୋଷ, ବର୍ଣ୍ଣାଳୀ ଘୋଷ, ଦିଲ୍ଲୀପ ଘୋଷ, ଅର୍ଷି ଘୋଷ, ରାଜୀବ ଘୋଷ ପ୍ରମୁଖ ଆହତଙ୍କ ମଧ୍ୟରୁ ଗୁରୁତର ଦୁଇମହିଳା ଆରତୀ ଘୋଷ ଓ ବର୍ଣ୍ଣାଳୀ ଘୋଷଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
