ବାଲେଶ୍ୱର : ମହାଶିବରାତ୍ରୀ ଉପଲକ୍ଷେ ଜିଲାର ପ୍ରମୁଖ ଶୈବପୀଠମାନଙ୍କରେ ଭକ୍ତଙ୍କର ଭିଡ଼
ବାଲେଶ୍ୱର : ଶିବ ହେଉଛନ୍ତି ସତ୍ୟ, ସୁନ୍ଦର । ସୁଖ, ଶାନ୍ତି, ଆନନ୍ଦ ଏବଂ ଜ୍ଞାନର ପ୍ରତୀକ ହେଉଛନ୍ତି ସ୍ୱୟଂ ଶିବ । ସେ ହେଉଛନ୍ତି ସକଳ ଜୀବ ଜଗତର ମୁକ୍ତି ଦାତା, ଏବଂ ନିରାକାର ପରମାତ୍ମା । ଜୀବ ଜଗତର ମୁକ୍ତି ପାଇଁ ଶିବଙ୍କ ଆରଧନା ନିମନ୍ତେ ଶୁକ୍ରବାର ସାରା ଦେଶରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହେଉଛି ମହାଶିବରାତ୍ରୀ । ହଜାର ହଜାର ବର୍ଷ ଧରି ଭାରତୀୟ ଧାର୍ମିକ ଚେତନାରେ ଶିବ ଆରାଧନା ଦୃଢ ଭାବରେ ପ୍ରତିଷ୍ଠିତ ହୋଇ ରହିଛି । ତେବେ ଫାଲଗୁନ ମାସର ସବୁଠାରୁ ଘନ ଅନ୍ଧକାର ରାତ୍ରୀ, କୃଷ୍ଣଚତୁର୍ଦ୍ଧଶୀ ତିଥିରେ ପାଳିତ ହୁଏ ଶୈବ ଭକ୍ତମାନଙ୍କର ବହୁ ପ୍ରତୀକ୍ଷିତ ପର୍ବ ମହାଶିବରାତ୍ରୀ । ମହାଶିବରାତ୍ରୀର ଉତ୍ସବ ସହିତ ସାରା ସଂସାର ହୋଇ ଉଠେ ଶିବମୟ । ସଂସାରର ପ୍ରତ୍ୟେକଟି କୋଣ ଅନୁକୋଣରେ ଶୈବପୀଠମାନଙ୍କରେ ଶ୍ରଦ୍ଧା ଓ ଭକ୍ତିର ସହ ମହାଶିବରାତ୍ରୀ ପାଳିତ ହେଉଥିବା ବେଳେ ବାଲେଶ୍ୱର ଜିଲାରେ ମଧ୍ୟ ଅନୁରୂପ ଭାବେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଛି ଏହି ପର୍ବ । ଏଥି ପାଇଁ ଗାଁଠାରୁ ସହର ଯାଏ ପ୍ରତ୍ୟେକ ଶିବମନ୍ଦିର ହୋଇ ଉଠିଛି ଚଳ ଚଞ୍ଚଳ ।
ଏହି ଅବସରରେ ବାଲେଶ୍ୱରର ପୁରୁଣା ବାଲେଶ୍ୱର ସ୍ଥିତ ବାଣେଶ୍ୱର, ସାରଗାଁ ସ୍ଥିତ ବକ୍ରେଶ୍ୱର, ବର୍ଦ୍ଧନପୁର ସ୍ଥିତ ମଣିନାଗେଶ୍ୱର, ସେରଗଡ଼ ସ୍ଥିତ ଖଜୁରେଶ୍ୱର ଏବଂ ରେମୁଣାର ଗର୍ଗେଶ୍ୱର ପ୍ରଭୃତି ପୁରାତନ ଶୈବପୀଠ ମାନଙ୍କରେ ଭକ୍ତମାନଙ୍କର ନାହିଁ ନଥିବା ଭିଡ଼ ପରିଲକ୍ଷତି ହୋଇଥିଲା । ଅନ୍ୟପକ୍ଷରେ ବାଲେଶ୍ୱର ସହର ପ୍ରସିଦ୍ଧ ଶୈବପୀଠ ଝାଡ଼େଶ୍ୱର ମନ୍ଦିର ଏବଂ ନୀଳଗିରି ସ୍ଥିତ ପଞ୍ଚଲିଙ୍ଗେଶ୍ୱରରେ ମଧ୍ୟ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାର ସହିତ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ ଓ ଅର୍ଚ୍ଚନ କରିଥିଲେ । ଓଁ ନମଃ ଶିବାୟ ମନ୍ତ୍ର ସହିତ ସବୁଠି ଚାଲିଥିଲା ଷୋଡ଼ଶ ଉପଚାର ପୂଜାର୍ଚ୍ଚନା । ଘଣ୍ଟ, ଘଣ୍ଟା, ଶଙ୍ଖ ସାଙ୍ଗକୁ ବ୍ରାହ୍ମଣଙ୍କ ଦ୍ୱାରା ମହାଦେବଙ୍କ ସ୍ତୁତି ଏବଂ ମନ୍ତ୍ରଧ୍ୱନିରେ ସମଗ୍ର ଅଂଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ମନ୍ଦିରରେ ମହାଦେବଙ୍କ ଦର୍ଶନ ସହିତ ପୁଜାର୍ଚ୍ଚନା ପାଇଁ ମହିଳା ଓ ପୁରୁଷ ଭକ୍ତମାନଙ୍କର ଲମ୍ବାଧାଡି ଲାଗିଥିବାର ଦେଖିବାକୁ ମିଳିଥିଲା । ପୂର୍ବଦିନ ଏକବାର କରିବା ପରେ ମହାଶିବରାତ୍ରି ଦିନ ସହରର ବିଭିନ୍ନ ଶିବମନ୍ଦିର ମାନଙ୍କରେ ଭୋର ସମୟରୁ ଭକ୍ତମାନେ ନିଜ ପରିବାରର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରି ଇଷ୍ଟଦେବ ମହାଦେବଙ୍କୁୁ ପୂଜା କରିଥିଲେ । ଶାନ୍ତଶିକ୍ତ ମନ ତଥା ସମର୍ପଣ ଭାବରେ ମହାଦେବଙ୍କୁ ଆରଧନା କରିବାରେ ହିଁ ସମସ୍ତଙ୍କୁ ଶାନ୍ତି ମିଳିଥାଏ ବୋଲି ଭକ୍ତମାନେ ପ୍ରକାଶ କରିଥିଲେ । ଶିବପୁରାଣ ଅନୁସାରେ ମହାମାୟା ପାର୍ବତୀ ଶିବଙ୍କୁ ପାଇବାକୁ ବର୍ଷ ବର୍ଷ ତପସ୍ୟା କରି ଆଜିର ଏହି ଦିନ ଫଳପ୍ରାପ୍ତି ହୋଇଥିଲେ । ସନ୍ଧ୍ୟା ଠାରୁ ରାତିର ଶେଷ ପ୍ରହର ପର୍ଯ୍ୟନ୍ତ ମହିଳା ଭକ୍ତମାନେ ରାତି ଅନିଦ୍ରା ରହି ମହାଦେବଙ୍କ ମନ୍ଦିର ବେଢ଼ା ମଧ୍ୟରେ ଘିଅ ଦୀପ ଜାଳିବାର ପରମ୍ପରା ଏହି ଶିବରାତ୍ରୀର ଅନ୍ୟଏକ ମାହାତ୍ମ୍ୟ । ରାତି ଉଜାଗର ରହି ଶିବ ବ୍ରତ ପାଳନ କଲେ ସର୍ବସଦ୍ଧି ପ୍ରାପ୍ତ ହେବା ସହିତ ନିଷ୍ଠାର ସହ ଏହି ବ୍ରତ ପାଳନ କଲେ ଶିବ ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ସକାଳ ଠାରୁ ଉପବାସ ରହିବା ସହିତ ମହାଦେବଙ୍କ ଚତୁର୍ଥ ପ୍ରହର ପୂଜା ଶେଷାର୍ଦ୍ଧର ମହାଦୀପ ଉଠିବା ପରେ ପୂନଃର୍ବାର ସ୍ନାନ ପୂର୍ବକ ମହାଦେବ ଦର୍ଶନ କରି ଭକ୍ତମାନେ ବ୍ରତ ଉଦ୍ଯାପନ କରିଥାଆନ୍ତି । ତେବେ ମହାଶିବରାତ୍ରୀ ଅବସରରେ ଶୈବପୀଠ ମାନଙ୍କ ନିକଟରେ ଲାଗିଥାଏ ଜାଗର ମେଳା । ବିଭିନ୍ନ ଘରକରଣା ସାମଗ୍ରୀ ସହିତ ମେଳାର ମୂଖ୍ୟ ଆକର୍ଷଣ ପାଲଟି ଥାଏ ଖଇ, ଉଖୁଡ଼ା ଏବଂ ଚଣା । ଏହି ଅବସରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଶିବ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମହିଳା ଏବଂ ପୁରୁଷ ଭକ୍ତମାନଙ୍କ ପାଇଁ ଅଲଗା ଅଲଗା ବ୍ୟାରିକେଟ ସହ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ବ୍ୟବସ୍ଥା କରାଯାଇଥିଲା । ତେବେ ଅନ୍ୟାନ୍ୟ ପର୍ବପର୍ବାଣୀ ଭଳି ଶିବରାତ୍ରିରେ ବିଭିନ୍ନ ମନ୍ଦିରମାନଙ୍କରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି । ଜାଗର ଜାଳିବା ବଳେ ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ବ୍ୟାପକ ବ୍ୟବସ୍ଥା କରାଯଇଛି । ଜନଗହଳି ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରର ବିଭିନ୍ନ ଶୈବପୀଠରେ ବହୁ ପୋଲିସ କର୍ମଚାରୀ ନିୟୋଜିତ କରାଯାଇଥିଲା ।
