ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ୧୦୪ତମ ଜୟନ୍ତୀ ପାଳିତ
ବାଲେଶ୍ୱର : ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୧୦୪ତମ ଜୟନ୍ତୀ ବାଲେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସମ୍ପାଦିକା ଅର୍ଚ୍ଚନା ନନ୍ଦୀଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭା ପ୍ରାରମ୍ଭରେ ଇନ୍ଦିରା ଗାନ୍ଧୀଙ୍କ ଫଟୋ ଚିତ୍ରରେ ଦଳର ନେତା ଓ କର୍ମୀମାନେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।
ଆୟୋଜିତ ସଭାରେ ଅତିଥି ଭାବେ ଯୋଗଦେଇ ଦଳର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ କହିଥିଲେ କି, ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କରେ ଯେତେ କହିଲେ ମଧ୍ୟ ତାଙ୍କର ନୀତି ଏବଂ ଆଦର୍ଶ ସରିବ ନାହିଁ । ସବୁବେଳେ ଦେଶର ଦଳିତ, ଗରିବ ଓ ଖଟିଖିଆ ଲୋକଙ୍କ ସ୍ୱାର୍ଧରକ୍ଷା ପାଇଁ ସେ ଯୋଜନା କରୁଥିଲେ । ଏପରିକି ତତ୍କାଳୀନ ବିରୋଧୀ ଦଳର ନେତା ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କୁ ସଂସଦରେ “ମା ଦୁର୍ଗା” ଭାବେ ଅଭିହିତ କରିବାକୁ ପଛାଇ ନଥିଲେ । ତାଙ୍କର ନୀତି ଓ ଆଦର୍ଶରେ ଯୁବ ଓ ମହିଳା ସମାଜ ଅନୁପ୍ରାଣିତ ହୋଇ ଦଳର ସ୍ୱାର୍ଥରକ୍ଷା ଲାଗି କାମ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ଗୋପନାରାୟଣ ଦାସ ଅତିଥି ଭାବେ ଯୋଗଦେଇ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରାୟତ ବ୍ୟାଙ୍କ ପ୍ରତିଷ୍ଠା କରି କିଭଳି ସାଧାରଣ ଚାଷୀ, ଗରିବ ଲୋକଙ୍କୁ ସହଜରେ ଋଣ ଦିଆଯାଇପାରିବ ସେ ସମ୍ପର୍କରେ ଯୋଜନା ଆରମ୍ଭ କରିଥିଲେ । ବର୍ତ୍ତମାନ ମୋଦି ସରକାର ଚାଷୀ ମାନଙ୍କ ସ୍ୱାର୍ଥରକ୍ଷା ପରିବର୍ତ୍ତେ ତିନୋଟି କଳା କୃଷି ଆଇନ ସଂସଦରେ ଗୃହିତ କରିଥିଲା ବେଳେ ଦେଶର ଚାଷୀ ଏକଜୁଟ ହୋଇ ଏହି କୃଷି ଆଇନକୁ ପ୍ରବଳ ଭାବେ ବିରୋଧ କରିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷରେ ଏଭଳି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ମହିଳା କଂଗ୍ରେସ ଅଧ୍ୟକ୍ଷା ପ୍ରଜ୍ଞାପାରାମିତା ମହାନ୍ତି, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଆଇଏନ୍ଟିୟୁସି ଜିଲା ସଭାପତି ବିକାଶ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ ପ୍ରମୁଖ ଇନ୍ଦିରା ଗାନ୍ଧୀଙ୍କ ଗୁଣାବଳୀ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ସମ୍ପାଦକ ସରୋଜ ମହାନ୍ତି, ଛାତ୍ର କଂଗ୍ରେସ ଉପସଭାପତି ଜୀବନ ମହାପାତ୍ର, ସାଧାରଣ ସମ୍ପାଦକ ରାଧାକାନ୍ତ ସାହୁ, ପ୍ରଦୀପ୍ତ କୁମାର ନାୟକ, ନବପ୍ରସାଦ ଭୂୟାଁ , ରତିକାନ୍ତ ଜେନା, ସୁଧାଂଶୁ ବେହେରା, ସେଖ୍ ୟୁନୁସୁ, ରଣବୀର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଜିଲା ସମ୍ପାଦକ ପଶୁପତି ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ ।
