ବାଲେଶ୍ୱର : ବାଲିଆପାଳରେ ବିଜେଡ଼ିର ପରିବାର ସମ୍ପର୍କ ପଦଯାତ୍ରା, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ଠାରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ନେତୃତ୍ୱ ଏବଂ ଯୁବନେତା ତଥା ପୂର୍ବତନ ଜିଲା ପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଅଣ୍ଡିଆଙ୍କ ଅକ୍ଳାନ୍ତ ପରିଶ୍ରମରେ ରବିବାର ବସ୍ତା ନିର୍ବାଚନମଣ୍ଡଳୀସ୍ତରୀୟ ପରିବାର ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଅବସରରେ ବାଲିଆପାଳ ବସ୍ଷ୍ଟାଣ୍ଡ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ବସ୍ତା ବିଧାୟକ ଶ୍ରୀ ସାହୁ ଉନ୍ମୋଚନ କରିଥିଲେ । କିଛି ଦିନ ତଳେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ମହିଳା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନାଙ୍କ ନେତୃତ୍ୱରେ ଏବଂ ଜିଲା ସଭାପତି ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଯୋଗଦାନରେ ମୁକୁଳିସି ଠାରେ ବସ୍ତା ନିର୍ବାଚନ ମଣ୍ଡଳୀସ୍ତରୀୟ ପରିବାର ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ସେହି ପଦଯାତ୍ରାରେ ବିଧାୟକ ଶ୍ରୀ ସାହୁ କି ତାଙ୍କ ସମର୍ଥକ କୁହାଯାଉଥିବା ଆଜିର ନେତୃମଣ୍ଡଳୀଙ୍କୁ ଦେଖିବାକୁ ମିଳି ନ ଥିଲା । ଉକ୍ତ କାର୍ଯ୍ୟକ୍ରମର କିଛିଦିନ ପରେ ଆଜି ଠିକ୍ ସେହିପରି ପରିବାର ସମ୍ପର୍କ ପଦଯାତ୍ରା ବାଲିଆପାଳ ଜଗନ୍ନାଥ ମନ୍ଦିର ନିକଟ ଖଗଡ଼ାପାଳ ଶିବମନ୍ଦିର ପଡିଆରୁ ହଜାର ହଜାର କର୍ମୀଙ୍କ ପଦଯାତ୍ର ସିମୁଳିଆ ବଜାର, ବ୍ଲକ ଛକ, ପାରୁଳିଆ ଛକ ଦେଇ ବାଲିଆପାଳ ବସ୍ଷ୍ଟାଣ୍ଡ ଠାରେ ପହଞ୍ଚିଥିଲା ।

ଏହି ଅବସରରେ ବିଧାୟକ ଗୋଷ୍ଠୀର ବାଲିଆପାଳ ବ୍ଲକ ସଭାପତି ଭଗବାନ ଗିରିଙ୍କ ସଭାପତିତ୍ୱରେ ବାଲିଆପାଳ ବସ୍ଷ୍ଟାଣ୍ଡ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବାଲିଆପାଳ ବସ ଷ୍ଟାଣ୍ଡ ଠାରେ ଯୁବ ନେତା ଶ୍ରୀ ଅଣ୍ଡିଆଙ୍କ ଆର୍ôଥକ ସହାୟତାରେ ସ୍ଥାପନ ହୋଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ବିଧାୟକ ଶ୍ରୀ ସାହୁ ଉନ୍ମୋଚନ କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ମୁହୂର୍ତ୍ତରେ ସାଢ଼େ ୪ କୋଟି ଓଡ଼ିଶାଙ୍କ ବିକାଶ କଥା ଭାବୁଛନ୍ତି । ତାଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳ ପକ୍ଷରୁ ପରିବାର ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି । ଆଜିର ଜନ ସମୁଦ୍ରରୁ ଜଣାପଡୁଛି ଯେ ବାଲିଆପାଳ ବସ୍ତାର ଲୋକଙ୍କର ବିଜେଡ଼ି ପାଇଁ କେତେ ସମର୍ଥନ ରହିଛି । ଆଗାମୀ ଦିନରେ ବହୁ ଭୋଟରେ ଏଠାରୁ ବିଜେଡି ବିଜୟ ଲାଭ କରିବ ବୋଲି ବିଧାୟକ ଶ୍ରୀ ସାହୁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହି ପରିବାର ସମ୍ପର୍କ ପଦଯାତ୍ରା ସଭାରେ ଜିଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି, ମହାଦେବ ଦାସ, ପୂର୍ବତନ ଜିଲା ପରିଷଦ ସଦସ୍ୟ ହରଗୋପାଳ ସିଂ, ତୁଷାରକାନ୍ତ ଜେନା, ବଢ଼ାପାଳ ସେବା ସମବାୟ ସମିତି ସଭାପତି ଦୟାନିଧି ମହାପାତ୍ର, ପରମେଶ୍ୱରୀ ସାହୁ, ହରେକୃଷ୍ଣ ଜେନା, ଲମ୍ବୋଦର ମାହାନା, ହେମନ୍ତ ଦାସ, ଅନନ୍ତ ବିଶ୍ୱାଳ, ମହେଶ୍ୱର ଜେନା, କାର୍ତ୍ତିକ ନାୟକ, ଜୟନାରାୟଣ ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ନବୀନ ସରକାରଙ୍କ ସଫଳତା ବିଷୟରେ ବକ୍ତବ୍ୟ ରଖିଥିଲେ ।
