ବାଘିଆ ଟାଙ୍ଗର ସ୍କୁଲ ପାଲଟିଛି ମରଣଯନ୍ତା ସ୍କୁଲର ଦୂରାବସ୍ଥା ପାଇଁ ରାଜରାସ୍ତାରେ ଛାତ୍ରଛାତ୍ରୀ
ରାଇରଙ୍ଗପୁର : ୧୯୫୬ ମସିହାରେ ସ୍ଥାପିତ ମୟୁରଭଞ୍ଜ ଜିଲ୍ଲା ବିଜାତଳା ଗୋଷ୍ଟି ଶିକ୍ଷା ବିଭାଗ ଅନ୍ତର୍ଗତ ବାଘିଆ ଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଗୁଡିକ ମରାମତି ଅଭାବରୁ ଅସୁରକ୍ଷିତ ହୋଇପଡିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୩ ଜଣ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଥିବା ବେଳେ, ଅଫିସ କାର୍ଯ୍ୟାଳୟ ସହିତ ସମସ୍ତ ଶ୍ରେଣୀଗୃହ ଗୁଡିକରେ ବର୍ଷାପାଣି ଗଳୁଛି । ଛାତର କଂକ୍ରିଟ ଖଣ୍ଡ ବିଭିନ୍ନ ସମୟରେ ଖସି ପଡୁଛି । ନିକଟରେ ଜଣେ ଶିକ୍ଷୟତ୍ରୀଙ୍କ ମଥାରେ ସିଲିଂ ଛାତ ମଥାରେ ଖସି ପଡ଼ିବାରୁ ସେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଜଣାପଡିଛି । ଛାତ୍ରଛାତ୍ରୀ ମାନେ ସ୍କୁଲ ଗୃହରେ ବସି ପାଠପଢିବା ପାଇଁ ଶ୍ରେଣୀ ଗୃହକୁ ପଶିବାକୁ ଭୟ କରୁଥିବାରୁ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି । ସ୍କୁଲର ଅସୁବିଧା ଗୁଡିକ ବାବଦରେ ଅଭିଭାବକ ମାନେ ବ୍ଳକ ପ୍ରଶାସନକୁ ପୂର୍ବରୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣଷି ପ୍ରତିକାର ନହେଉଥିବାରୁ ଗ୍ରାମବାସୀ, ଅଭିଭାବକ, ଛାତ୍ର ଛାତ୍ରୀ ମାନେ ସ୍କୁଲ ସମୁଖରେ ଥିବା ରାଇରଙ୍ଗପୁର ବାରିପଦା ରାସ୍ତାକୁ ଦିର୍ଘ ୪ ଘଣ୍ଟା ଧରି ଅବରୋଧ କରିଥିଲେ । ଖବର ପାଇ ବିଇଓ , ତହସିଲ ପ୍ରଶାସନ ଓ ବ୍ଳକ ପ୍ରଶାସନ, ପୋଲିସ ପ୍ରଶାସନ ଗ୍ରାମବାସୀ ଓ ଶିକ୍ଷାନୁଷ୍ଠାନ ପ୍ରଧାନ ଶିକ୍ଷଯତ୍ରୀ ଦେଲହମଣି ମାଝୀଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ସୋମବାର ଦିନ ଆଉଥରେ ବିଧିବଦ୍ଧ ଆଲୋଚନା କରାଯିବ ବୋଲି ପ୍ରତିଶୃତି ଦେବା ପରେ ଛାତ୍ରଛାତ୍ରୀ ମାନେ ରାସ୍ତା ଅବରୋଧରୁ ଓହରିଥିବାର ଜଣା ଯାଇଛି ।
