ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ ଓ ଯୋଗ ପ୍ରଶିକ୍ଷଣ ଶିବିର
ତିହିଡ଼ି : ଓଡ଼ିଶା ରାଜ୍ୟ ଆୟୁଷ ସୋସାଇଟି, ଜାତୀୟ ଆୟୁଷ ମିଶନ ଓ ଆୟୁଷ ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ ଓ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବିଲଣା ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ଜିଲା ଆୟୁର୍ବେଦ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ତିହିଡ଼ି ବ୍ଲକ ନୂଆସାହି ଆୟୁର୍ବେଦ ସ୍ୱାସ୍ଥ୍ୟ ଆରୋଗ୍ୟକେନ୍ଦ୍ରର ଚିକିତ୍ସାଧିକାରିଣୀ ଡାକ୍ତର ଶୁଭଶ୍ରୀ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଡା. ରାଜୀବ ମାଝୀ, ଡା. ସମୀର ଛାଟୋଇ, ଡା. ମିନତୀ ଦାସ, ଡା. ମୁଜାମମ ଅଲ୍ଲୀ, ଆୟୁଷ ସହକାରୀ ରାଧାକାନ୍ତ ମଲିକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ରାୟ ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ସହ ଅଣସଂକ୍ରାମକ ରୋଗ ଗୁଡ଼ିକର କାରଣ, ଏହାର ପ୍ରତିକାର ଏବଂ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ଏଥିସହ କିଶୋରୀ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସନ୍ତୁଳିତ ଆହାର, ଔଷଧୀୟ ବୃକ୍ଷ, ଯୋଗ ଏବଂ ଉତ୍ତମ ଜୀବନଶୈଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଆୟୁର୍ବେଦିକ ଔଷଧ ବଣ୍ଟନ କରାଯିବା ସହ ସେମାନଙ୍କୁ ଯୋଗ ପ୍ରଶିକ୍ଷଣ ଦିଆଯାଇଥିଲା । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା ।
