ଅଗଷ୍ଟ ୭କୁ ଜାତୀୟ ଜାଭ୍ଲିନ୍ ଦିବସ ଭାବେ ପାଳନ କରିବ ଏଏଫ୍ଆଇ
ନୂଆଦିଲ୍ଲୀ: ଅଗଷ୍ଟ ୭ ତାରିଖରେ ଭାରତୀୟ ଜାଭ୍ଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଥିଲେ। ତାହାକୁ ସ୍ମରଣୀୟ କରିତୋଳିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ଜାଭ୍ଲିନ୍ ଦିବସ ଭାବେ ପାଳନ କରିବାକୁ ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ନିଷ୍ପତ୍ତି ନେଇଛି। ଶନିବାର ଟୋକିଓରେ ୮୭.୫୮ ମିଟର ଜାଭ୍ଲିନ୍ ପିଙ୍ଗି ୨୩ ବର୍ଷୀୟ ନୀରଜ ଦ୍ବିତୀୟ ଭାରତୀୟ ଭାବେ ବ୍ୟକ୍ତିଗତ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ‘‘ଜାଭ୍ଲିନ୍ ଥ୍ରୋ’କୁ ସାରା ଭାରତରେ ଲୋକପ୍ରିୟ କରିବା ଲାଗି ଆମେ ଅଗଷ୍ଟ ୭ ତାରିଖକୁ ଜାଭ୍ଲିନ୍ ଦିବସ ଭାବେ ପାଳନ କରିବୁ ଏବଂ ଆସନ୍ତା ବର୍ଷଠୁ ଆମର ଅନୁବନ୍ଧିତ ସଂଘଗୁଡ଼ିକ ସେମାନଙ୍କ ରାଜ୍ୟରେ ଜାଭ୍ଲିନ୍ ପ୍ରତିଯୋଗିତା ଆୟୋଜନ କରିବେ’’ ବୋଲି ଏଏଫ୍ଆଇ ଯୋଜନା ଆୟୋଗ ଅଧ୍ୟକ୍ଷ ଲଳିତ ଭାନୋଟ ସମ୍ବର୍ଦ୍ଧନା ଉତ୍ସବରେ କହିଛନ୍ତି। ଏହି ଉତ୍ସବରେ ନୀରଜ ମଧ୍ୟ ଉପସ୍ଥିତ ଥିଲେ। ୨୦୧୮ରେ ପ୍ରଥମ ଥର ଲାଗି ଏଏଫ୍ଆଇ ଜାତୀୟ ଓପନ୍ ଜାଭ୍ଲିନ୍ ପ୍ରତିଯୋଗିତା ଆୟୋଜନ କରିଥିଲା। ଚଳିତ ବର୍ଷ ଅକ୍ଟୋବରରେ ଏହାର ତୃତୀୟ ସଂସ୍କରଣ ଆୟୋଜନ କରିବ। ‘‘ଏହା ପରଠୁ ଆମେ ଅନ୍ତଃଜିଲ୍ଲା ପ୍ରତିଯୋଗିତା କରିବୁ। ଏଥିପାଇଁ ଅଧିକ ଜାଭ୍ଲିନ୍ ଆବଶ୍ୟକ ହେବ, ତେଣୁ ଆମେ ଏହା ଯୋଗାଇଦେବୁ। ଯେପରିକି ଆସନ୍ତା ବର୍ଷ ଜାତୀୟ ପ୍ରତିଯୋଗିତାରେ ଅନେକ ପ୍ରତିଯୋଗୀ ଭାଗ ନେଇପାରିବେ’’ ବୋଲି ଲଳିତ କହିଥିଲେ।
‘‘ମୁଁ ବହୁତ ଖୁସି ଅନୁଭବ କରୁଛି। ଏଏଫ୍ଆଇ ମୋର ଏହି ସଫଳତାକୁ ଅଗାମୀ ଦିନରେ ମନେରଖିବା ପାଇଁ ପ୍ରସ୍ତୁତ ହେଉଛି। ମୋର ଏହି ସଫଳତା ଦେଶର ଯୁବକମାନଙ୍କୁ ଆଗାମୀ ଦିନରେ ଦୌଡ଼କୁଦ ବିଶେଷ କରି ଜାଭ୍ଲିନ୍ ପ୍ରତି ଆକୃଷ୍ଟ କରିବ। ତେବେ ମୁଁ ଆହୁରି ଖୁସି ହେବି। ଯଦି ପିଲାମାନଙ୍କୁ ଜାଭ୍ଲିନ୍ ଖେଳିବା ପାଇଁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ମୋର ବିଶ୍ବାସ ସେମାନେ ନିଶ୍ଚିତ ଆଗକୁ ପଦକ ଜିତିପାରିବେ ଏବଂ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଉପସ୍ଥିତ ରହିବି।’’ ବୋଲି ନୀରଜ କହିଛନ୍ତି।
