କୋର୍ଟ ଚ୍ୟାମ୍ବରରେ ପଶି ଏସଡିଜେଏମଙ୍କୁ ଆକ୍ରମଣ ଉଦ୍ୟମ, ଅଭିଯୁକ୍ତ ଗିରଫ ଅଭିଯୁକ୍ତଙ୍କ ସପକ୍ଷରେ କୌଣସି ଓକିଲ ମୋକଦ୍ଦମା ଲଢିବେ ନାହିଁ
ଗଞ୍ଜାମ :ବ୍ରହ୍ମପୁର ଏସଡିଜେଏମ ପ୍ରଜ୍ଞାପାରମିତା ପ୍ରତିହାରୀ ଆଜି ଅପରାହ୍ନ ସାଢ଼େ ୨ଟା ସମୟରେ ତାଙ୍କ ଚ୍ୟାମ୍ବରରେ ବସି କାର୍ଯ୍ୟ କରୁଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଛୁରୀ ଧରି ଚ୍ୟାମ୍ବରରେ ପଶି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିବା ବେଳେ ନିକଟରେ ଉପସ୍ଥିତ ଥିବା କୋର୍ଟ କର୍ମଚାରୀ ତାକୁ ବାଧା ଦେବା ସହ କାବୁ କରିଥିଲେ । ଏହାପରେ ସମ୍ପୃକ୍ତ ବ୍ୟକ୍ତିକୁ ବୈଦ୍ୟନାଥପୁର ପୋଲିସ ଜିମାରେ ଦିଆଯାଇଛି । ଘଟଣାରେ ପୋଲିସ ତାକୁ ଗିରଫ କରିଛି । ଏ ସଂକ୍ରାନ୍ତରେ ଥାନାରେ ୪୧୫/୨୨ ରେ ଏକ ମାମଲା ରୁଜ୍ଜୁ ହୋଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଖବର ନେବାରେ ଜଣାପଡିଛି, ସମ୍ପୃକ୍ତ ବ୍ୟକ୍ତି ଜଣକ ବ୍ରହ୍ମପୁର ବଡ଼ବଜାର ଥାନା ଅଂଚଳର । ତାଙ୍କ ନାମ ଭଗବାନ ସାହୁ । ତାଙ୍କ ନାମରେ ବଡ଼ବଜାର ଥାନାରେ ତିନୋଟି ମାମଲା ରହିଥିବା ବେଳେ ବୈଦ୍ୟନାଥପୁର ଥାନାରେ ମଧ୍ୟ ପୂର୍ବରୁ ଗୋଟିଏ ମାମଲା ରହିଛି । ସେ ପୂର୍ବରୁ ଜେଲ୍ ଯାଇ ଫେରିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ଭଗବାନଙ୍କ ସପକ୍ଷରେ କୋର୍ଟରେ କୌଣସି ଓକିଲ ମୋକଦ୍ଦମା ଲଢିବେ ନାହିଁ ବୋଲି ଜିଲ୍ଲା ଓକିଲ ସଂଘର ସଭାପତି ସୁଶିଳ ତ୍ରିପାଠୀ ସୂଚନା ଦେଇଛନ୍ତି ।
