ଦାଦାବଟି ପାଇଁ ଆକ୍ରମଣ: ଯୁବକ ଗିରଫ
କଟକ : ଲାଲବାଗ ଥାନା ପୋଲିସ ଆଜି ଦାଦାବଟି ମାଗିବା ଅଭିଯାଗରେ ଜଣକୁ ଗିରଫ କରିବା ସହ ତା ନିକଟରୁ ଗୋଟିଏ କଳା ରଙ୍ଗର ଲୁହା ପାଇପ୍ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ଗଂଜାମ ଜିଲ୍ଲା ବିଜିପୁର କାଲୁଆସାହିର ମୂଳବାସିନ୍ଦା ତଥା କଟକ ଲାଲବାଗ ଥାନା ଅନ୍ତର୍ଗତ କନିକାଛକରେ ରହୁଥିବା ଆଶିଷ ଭୁୟାଁ ଓରଫ ପାପୁ(୩୯) । ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁରର ସୁବାସ ବେହେରା ବାଲୁବଜାରକୁ ନିଜ କାର୍ଯ୍ୟରେ ଆସିଥିବା ବେଳେ ପାପୁ ତାଙ୍କୁ ଲୁହା ପାଇପ୍ ଧରି ଧମକ ଚମକ ଦେଇ ଦାଦାବଟି ମାଗିଥିଲା । ତେବେ ସୁବାସ ଅମଙ୍ଗ ହେବାରୁ ପାପୁ ତାଙ୍କୁ ଧକ୍କା ଦେଇ ତଳେ ପକାଇବା ସହ ପାଇପରେ ମାଡ ମାରିଥିଲା । ଏହି ସମୟରେ ସ୍ଥାନୀୟ ଲୋକେ ଓ ପୋଲିସ ସୁବାସଙ୍କୁ ଉଦ୍ଧାର କରିବା ସହିତ ପାପୁକୁ କାବୁ କରିନେଇଥିଲେ । ପୋଲିସ ପାପୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
