ଭୋଟଦାନର ମହାନ ପର୍ବରେ ସାମିଲ ହେଲେ ଆସିକା ସାଂସଦ
ଆସିକା: ଗଣତାନ୍ତ୍ରିକ ରାଷ୍ଟ୍ରରେ ମତଦାନର ସମୟ ହେଉଛି ଏକ ପର୍ବ ଭଳି ଅବସର। ଏଥିରେ ହସଖୁସିରେ ସାମିଲ ହୋଇ ସମସ୍ତେ ନିଜ ସାମ୍ବିଧାନିକ ମତଦାନ ଅଧିକାର ସାବ୍ୟସ୍ତ କରିଥାନ୍ତି। ଏହି ପର୍ବରେ ମତଦାତା ସାଜନ୍ତି ଭାଗ୍ୟ ବିଧାତା ଓ ଭୋଟ ବାକ୍ସ ସତେଯେମିତି ଏକ ମନ୍ଦିର। ସେହି ତୁଲ୍ୟ ଯଥୋଚିତ ସମ୍ମାନ ପ୍ରଦର୍ଶନ କରି ଏକ ନଜିର ସୃଷ୍ଟି କରିଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ। ଆଜି ଆସିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଆସିକା ବ୍ଲକରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଭୋଟଗ୍ରହଣ ଚାଲିଛି। ନିଜ ମତାଧିକାର ସାବ୍ୟସ୍ତ କରିବାକୁ ପୂର୍ବାହ୍ନରେ ଏକ ବୁଥରେ ପହଞ୍ଚି ଥିଲେ ଆସିକା ସାଂସଦ। ଭୋଟଗ୍ରହଣ କେନ୍ଦ୍ରରେ ମତଦାନ ପୂର୍ବରୁ ସେ ଭୋଟବାକ୍ସକୁ ଆଣ୍ଠେଇ ପଡ଼ି ପ୍ରଣାମ କରି ଯଥାଯଥ ସମ୍ମାନ ପ୍ରଦର୍ଶନ କରିଥିଲେ। ତାଙ୍କର ଏହି କାର୍ଯ୍ୟ ଏକ ଆଦର୍ଶ ସୃଷ୍ଟି କରିଥିଲା। ଭୋଟଦାନ ପ୍ରତି ସର୍ବସାଧାରଣ ବିଶେଷ କରି ମହିଳାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାର ବାର୍ତ୍ତା ଦେଇଥିଲା।

ଉଲ୍ଲେଖଯୋଗ୍ୟ ଯେ ସାଂସଦ ଭାବେ ନିର୍ବାଚିତ ହେବା ପରେ ପ୍ରମିଳା ବିଷୋୟୀଙ୍କ ପାଇଁ ଏହା ଥିଲା କୌଣସି ନିର୍ବାଚନର ପ୍ରଥମ ଅବସର। ତେଣୁ ଏଭଳି ଅବସରରେ ତାଙ୍କର ଏହି କାର୍ଯ୍ୟ ବେଶ୍ ଚର୍ଚ୍ଚିତ ହୋଇଛି। ଏଠାରେ ଗୋଟିଏ କଥା ସ୍ମରଣ କରାଯାଇପାରେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ପ୍ରଥମ ଥର ସଂସଦରେ ପ୍ରବେଶ କରିଥିଲେ ତାହା ପୂର୍ବରୁ ସେ ପ୍ରବେଶ ପଥ ନିକଟ ପାହାଚରେ ଆଣ୍ଠେଇ ପଡ଼ି ମୁଣ୍ଡିଆ ମାରିବା ପରେ ସଂସଦ ଗୃହରେ ପ୍ରବେଶ କରିଥିଲେ ।
