ଫୁଲବାଣୀ ନଗର ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ହେଲେ ଅରବିନ୍ଦ ପଟ୍ଟନାୟକ
କନ୍ଧମାଳ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ରାଜନୈତିକ ଦୃଷ୍ଟି କୋଣରୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଅଟେ । ତିନୋଟି ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ସହରରେ ଯୁବକ ମାନଙ୍କୁ ନିଜ ଦଳ ପ୍ରତି ଆକର୍ଷିତ କରିବାକୁ ନିରନ୍ତର ଚେଷ୍ଟା କରୁଥିବା ବେଳେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ଯୁବ ଓ ପରିଚିତ ଚେହେରା ଅଟନ୍ତି, ଅରବିନ୍ଦ ପଟ୍ଟନାୟକ । ତାଙ୍କୁ ନଗର ମଣ୍ଡଳ ସଭାପତି ଭାବରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁରଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି । ଗତ ମୁନିସିପାଲିଟି ନିର୍ବାଚନରେ ତିନୋଟି ଦଳ ଭିତରେ ଲଢେଇ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀନୀଙ୍କୁ ନିଜ ଦଳ ପକ୍ଷରୁ ଯୋରଦାର୍ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା, ଯାହାଫଳରେ ଦଳମତ ନିର୍ବିଶେଷରେ ଅଧିକାଂଶ ଯୁବ ଭୋଟର୍ ବିଜେପି ପ୍ରତି ଆକର୍ଷିତ ହୋଇଥିଲେ ଏବଂ ବିଜେପି ବାଜିମାତ କରିଥିଲା । ସେଭଳି କ୍ଷେତ୍ରରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସହରର ଯୁବ ଭୋଟର୍ ମାନଙ୍କୁ ଆକର୍ଷିତ କରିବାକୁ ସମସ୍ତ ଦଳ ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖିଛନ୍ତି । ସୋସିଆଲ ମିଡ଼ିଆ ମାଧ୍ୟମରେ ହେଉ କିମ୍ବା ସିଧାସଳଖ ହେଉ ବିଜେପି ଯୁବମୋର୍ଚ୍ଚା ସବୁବେଳେ ବିଜେଡିକୁ ବିରୋଧ କରି ଆସୁଛି । ଗତ କିଛିଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କନ୍ଧମାଳ ଜିଲ୍ଲାରେ ବାଇଶି ବର୍ଷ ଧରି ବିଜେଡି ସରକାର କେବଳ କିଛି ଠିକାଦାର ପୋଷିବା ଛଡ଼ା ଅନ୍ୟ କୌଣସି ଆଖିଦୃଷ୍ଟିଆ ଉନ୍ନତି କରିପାରିନାହିଁ ବୋଲି ସିଧାସଳଖ ସ୍ଥାନୀୟ ବିଧାୟକ, ସାଂସଦଙ୍କୁ ଟାର୍ଗେଟ କରିଥିଲା ବିଜେପି ଯୁବମୋର୍ଚ୍ଚା । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ କିଏ କେତେ ସଫଳ ହେବ ଦେଖିବା କଥା ।
