ରାଜ୍ୟପାଳଙ୍କୁ ଚିତ୍ରଶିଳ୍ପୀ ଅଜୟ ପଣ୍ଡାଙ୍କ ଫଟୋଚିତ୍ର ଉପହାର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ ଦୋହଳୀ ସ୍ଥିତ ବନମାଳୀ ବ୍ରହ୍ମଚାରୀ ଆଦର୍ଶ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବଲି ସମାରୋହ ଉଦଯାପିତ ହୋଇଯାଇଛି । ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ତଥା ଏହି ବିଦ୍ୟାଳୟର ପୁରାତନ ଛାତ୍ର ଅଜୟ ପଣ୍ଡାଙ୍କ ପକ୍ଷରୁ ଏକକ ଚିତ୍ରକଳା ପ୍ରଦର୍ଶନୀ ମଣ୍ଡପ ସ୍ଥାନ ପାଇଥିଲା । ଏହି ପ୍ରଦର୍ଶନୀରେ ଶ୍ରୀ ପଣ୍ଡାଙ୍କ ଦ୍ୱାରା ଅଙ୍କିତ ଉଭୟ ଜଳରଙ୍ଗ ଓ ତୈଳରଙ୍ଗର ୬୦ଟି କଳାକୃତି ଦର୍ଶକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ସମୟରେ ଶ୍ରୀ ପଣ୍ଡାଙ୍କ ଦ୍ୱାରା ଅଙ୍କିତ ଏକ ଫଟୋଚିତ୍ରକୁ ପ୍ରଫେସର ଲାଲଙ୍କୁ ପ୍ରଦାନ କରାଯାଇଥିଲା ।
ସୂଚନା ଯେ, କେନ୍ଦ୍ରାପଡା ଜିଲାରେ ଚିତ୍ର ବିଦ୍ୟାର ପ୍ରସାର ନିମନ୍ତେ ନିରବଛିନ୍ନ ଭାବେ ଦୀର୍ଘ ବର୍ଷ ଧରି ମିରପାଟଣା ସ୍ଥିତ ନିଜସ୍ୱ କଳା ପ୍ରଶିକ୍ଷଣ ଅନୁଷ୍ଠାନ “ଅରୋ ଚିତ୍ରକଳା ବିଦ୍ୟାଳୟ” ମାଧ୍ୟମରେ ପିଲାମାନଙ୍କୁ ଚିତ୍ରକଳା ଶିକ୍ଷା ଦେଇ ଆସୁଛନ୍ତି ଏବଂ ବର୍ତ୍ତମାନ ଶ୍ରୀ ପଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରାପଡାରେ କଳାଶିକ୍ଷକ ଭାବେ କାର୍ଯ୍ୟରତ ।
